ଜୀବନ୍ତ ମା’ଙ୍କୁ ଆରତି କରି ପୂଜିଲେ

ଜଳେଶ୍ୱର,୧୦।୧୦- ବାଲେଶ୍ୱର ଜିଲା ଜଳେଶ୍ୱର ସ୍ଥିତ ଦେଉଳି ପଞ୍ଚୁଘଣ୍ଟା ମା’ ମଙ୍ଗଳା ପୂଜୋସତ୍ବ କମିଟି ପକ୍ଷରୁ ଶାରଦୀୟ ପୂଜା ତଥା ଦଶହରା ଅବସରରେ ସୋମବାର ମାତୃପୂଜା ଉସତ୍ବ ଆୟୋଜିତ ହୋଇଥିଲା। ଆଗାମୀ ପିଢ଼ିକୁ ମାତାପିତାଙ୍କ ପ୍ରତି ଥିବା କର୍ତ୍ତବ୍ୟର ସଚେତନତା କରାଇବା ଲକ୍ଷ୍ୟ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଣିଷ ପ୍ରକୃତିର ପ୍ରଥମ ସ୍ପର୍ଶ ମା’ ଠାରୁ ହିଁ ପାଇଥାଏ। ମା’ ବିନା ସୃଷ୍ଟି ଅସମ୍ଭବ। ତେଣୁ ମା’ଙ୍କୁ ସର୍ବାଗ୍ରେ ପୂଜନ କରିବା ଦରକାର ବୋଲି ଉତ୍ସବରେ ଯୋଗ ଦେଇଥିବା ଅତିଥି ଓ ବକ୍ତାମାନେ କହିଥିଲେ। ଏହି ପରିପ୍ରେକ୍ଷୀରେ ଗ୍ରାମର ସମସ୍ତ ବୟସ୍କା ମା’ମାନଙ୍କୁ ଅଣାଯାଇ ସେମାନଙ୍କୁ ପୁଷ୍ପଚନ୍ଦନ ଦେଇ, ଫୁଲମାଳ ପିନ୍ଧାଇ ଆରତି କରାଯାଇଥିଲା । ଏଥିସହ ସମସ୍ତଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଏହାପରେ ସେମାନଙ୍କଠାରୁ ଉପସ୍ଥିତ ସମସ୍ତେ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଗ୍ରାମର ବୟସ୍କ ବ୍ୟକ୍ତି ଭାବେ ପୂର୍ଣ୍ଣେନ୍ଦୁ ନନ୍ଦୀ, ଯଜ୍ଞେଶ୍ୱର ଜେନା ଓ ରବୀନ୍ଦ୍ର ପାତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଇସ୍କନ ମନ୍ଦିରର ମୁଖ୍ୟ ସେବକ ଚନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ପ୍ରବୀର କୁମାର ପ୍ରଧାନ, ସମ୍ମାନନୀୟ ଅତିଥି ଭାବେ ଗ୍ରାମ୍ୟ ମୁଖ୍ୟ ଯଜ୍ଞେଶ୍ୱର ଜେନା, ରବୀନ୍ଦ୍ର ପାତ୍ର, ଶିକ୍ଷକ ତଥା ସାଇସେବା ସଂଗଠନର ସେବକ ପ୍ରାଣକୃଷ୍ଣ ଗିରି ଓ ଶିକ୍ଷକ ଅଜିତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଦିନରେ ସମାଜରେ ମା’ବାପାଙ୍କୁ ଉପେକ୍ଷା ଓ ଅବହେଳା କରାଯାଉଥିବା ଦେଖିବାକୁ ମିଳୁଛି। ସନ୍ତାନ ମାନେ ମାତାପିତାଙ୍କୁ ବୃଦ୍ଧ ଅବସ୍ଥାରେ ସେବା ଶୁଶ୍ରୂଷା କରିବା ପରିବର୍ତ୍ତେ ଛାଡ଼ି ଚାଲି ଯାଉଛନ୍ତି। ସେଥିପାଇଁ ନୂଆ ପିଢ଼ିକୁ ସଚେତନ କରାଇବା ପାଇଁ ମାତୃ ପୂଜନ କାର୍ଯ୍ୟକ୍ରମ ବାଟ ଦେଖାଇବ ବୋଲି ବକ୍ତାମାନେ କହିଥିଲେ। ପ୍ରଥମେ ଶଙ୍କର ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ପୂର୍ବତନ କାଉନ୍‌ସିଲର ଅର୍ଚ୍ଚନା ଗିରି, ଚନ୍ଦ୍ରକାନ୍ତ ସାହୁ, ଅନନ୍ତ ଦାସ, କଳ୍ପନା ଦାସମହାପାତ୍ର ପ୍ରମୁଖ ଗ୍ରାମବାସୀ କାଯର୍‌ୟକ୍ରମକୁ ପରିଚାଳନା କରିଥିଲେ।