ଜୀବନ ଗଲା ପରେ ପ୍ରଶାସନର ଚେତା ପଶିଲା:ଭାରିଯାନ ଚଳାଚଳ ଉପରେ ଅଙ୍କୁଶ

ବନ୍ତ, ୯।୭ (ସ୍ବ.ପ୍ର.) – ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥରେ ରବିବାର ରାତିରେ ହାଇୱା ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଛି। ଲୋକଙ୍କ ଦୀର୍ଘଦିନର ଦାବିକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ଓ ପୋଲିସ ସୋମବାରଠାରୁ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ ରଖିଛି।
ଏହି ରାଜ୍ୟ ରାଜପଥର ଟିଲୋ କେନାଲ ଛକଠାରେ ରବିବାର ରାତିରେ ଏକ ବାଲି ବୋଝେଇ ହାଇୱା ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ ଓଡ଼ଙ୍ଗ ପଞ୍ଚାୟତ ଏରଝାଟିଆ ଗ୍ରାମର ପ୍ରଭାତ ମହାନ୍ତି(୨୧) ଓ ଆହତ ଯୁବକ ଟିଲୋ ଗ୍ରାମର ଅବିନାଶ ନାଥ ବୋଲି ଜଣାଯାଇଛି। ସୂଚନା ଅନୁସାରେ, ପ୍ରଭାତ ଏକ ଲୁନାରେ ବନ୍ତ ଆସୁଥିବା ବେଳେ ଅବିନାଶ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। କେନାଲ ଛକ ନିକଟରେ ଦୁଇ ବାଇକ୍‌ ମୁହଁାମୁହିଁ ଧକ୍କା ହେବାରୁ ସେମାନେ ରାସ୍ତା ଉପରେ ପଡ଼ିଯାଇଥିଲେ। ଏହି ସମୟରେ ବନ୍ତରୁ ଭଦ୍ରକ ଆଡ଼କୁ ଦ୍ରୁତଗତିରେ ଯାଉଥିବା ଏକ ହାଇୱା ପ୍ରଭାତଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆହତ ଅବିନାଶଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଲାଗି ଦାବି କରିଥିଲେ। ଏଥିସହ ଏହି ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ଦାବି କରି ଜିଦ୍‌ରେ ଅଟଳ ରହିଥିଲେ। ବିଡିଓ ରେବେକା ବିଲୁଙ୍ଗ ସେଠାରେ ପହଞ୍ଚି ଜିଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବା ସହ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ ରଖାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ପରେ ଜିଲା ରେଡ୍‌କ୍ରସରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାଯାଇଛି। ବନ୍ତ ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଚାଳକଙ୍କୁ ଥାନାକୁ ନେଇ ଅଟକ ରଖିଛି। ମୃତ ପ୍ରଭାତଙ୍କ ବାପା ନରେନ୍ଦ୍ରଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା (ନଂ.୭୮/୧୯) ରୁଜୁ ହୋଇଥିବା ଥାନାଧିକାରୀ ଗଣେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି। ସୋମବାର ସକାଳ ୮ଟାରୁ ଭାରିଯାନ ବନ୍ଦ ରହିବାରୁ ବନ୍ତ-ଆନନ୍ଦପୁର ରାସ୍ତାର ଶ୍ରୀବନ୍ତପୁର ଛକଠାରେ ବହୁସଂଖ୍ୟାରେ ଭାରିଯାନ ଅଟକି ରହିଥିଲା।

Share