ଜୀବନ ଜୀବିକା ଆଗରେ ହାର୍‌ ମାନିଛି ଲକ୍‌ଡାଉନ

ଖଜୁରିପଡା,୬ା୫(ଡି.ଏନ.ଏ.)- ଜଙ୍ଗଲ ସୀମାବର୍ତ୍ତୀ ଜନଜାତି ଗରିବ ପରିବାରର ମହିଳାମାନେ ଦିନ ମଜୁରୀ ଠାରୁ ଆରମ୍ଭ କରି ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ତେଣୁ ପ୍ରତିଦିନ ଜଙ୍ଗଲକୁ ଯାଇ ଜାଳେଣି କାଠ, ଶାଳପତ୍ର, ଶିଆଳିପତ୍ର ଆଣି ଏହାକୁ ବିଡା କରିବା ପରେ ଗାଡ଼ିରେ ସହରକୁ ନେଇ ବିକ୍ରି କରିଥାନ୍ତି। ମାତ୍ର ଲକ୍‌ଡାଉନ ଏମାନଙ୍କ ଜୀବନ ଜୀବିକା ଉପରେ ଦାଉ ସାଧିଛି। କାମଧନ୍ଦା ବନ୍ଦ ହୋଇଯାଇଥିବାବେଳେ ଗାଡି ଚଳାଚଳ ବନ୍ଦ ଯୋଗୁ ବନଜାତ ଦ୍ରବ୍ୟ ବିକିବାକୁ ସହରକୁ ମଧ୍ୟ ଯାଇ ପାରୁନାହାନ୍ତି। ବାଧ୍ୟ ହୋଇ ଖଲି ଓ ଶାଳପତ୍ର ବିଡା ମୁଣ୍ଡାଇ ୧୫ ରୁ ୨୦କିଲୋମିଟର ଦୂର ଚାଲିଚାଲି ଯାଇ ସହରରେ ବ୍ୟବସାୟୀଙ୍କୁ ବିକ୍ରିକରି ଟଙ୍କା ଧରି ଘରକୁ ଫେରୁଛନ୍ତି। କନ୍ଧମାଳ ଜିଲାର ଖଜୁରିପଡା ବ୍ଲକର ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳ ବିଲାବାଡି ପଞ୍ଚାୟତର କେତେଜଣ ମହିଳା ଖଲିପତ୍ର ମୁଣ୍ଡେଇ ୨୦କିମି ଦୂର ସୁଡ୍ରୁକୁମ୍ପାରେ ବ୍ୟବସାୟୀଙ୍କୁ ଦେବାକୁ ଯାଉଥିବା ଦେଖିବାକୁ ମିଳିଥିଲା। ସେମାନେ ଏହାକୁ ବିକିବା ପରେ ସେଠାରୁ ତେଲଲୁଣ ଧରି ଘରକୁ ଫେରିଥିଲେ।

Share