ବଅଁରପାଳ, ୧୬।୭ (ଡି.ଏନ୍.ଏ.) ଦେହରେ ବଳ ଥିବାବେଳେ ନାଲ୍କୋ ପ୍ଲାଣ୍ଟରେ ଖଟି ଗୁଜୁରାଣ ମେଣ୍ଟାଉଥିଲେ। ଏବେ ହାତ ଛାଡି ଦେଇଛି ବୟସ। ବୃଦ୍ଧାବସ୍ଥାକୁ ନିସଙ୍ଗ ଓ ରୋଗଗ୍ରସ୍ତ ଜୀବନ ଯେପରି ବୋଝ ପାଲଟିଯାଇଛି ତାଙ୍କ ପାଇଁ। ସୁସ୍ଥ ହେବାକୁ ନା ଅଛି ଅର୍ଥ, ନା ସେବା ପାଇଁ ଅଛନ୍ତି ସମ୍ପର୍କୀୟ। ହଟିଂବାସୀ ମୁଠେ ଖାଇବାକୁ ଦେଉଥିବାରୁ ଜୀବନଟା ରହିଯାଇଛି ସିନା ରୋଗ କିନ୍ତୁ ଖାଇଯାଇଛି ଶରୀରକୁ। ଭଲ ହେବା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାରୁ ସହାୟତା ଆଶାରେ ପଡ଼ିରହିଛନ୍ତି ନାଲ୍କୋ ସିପିପି ହଟିଂର ଚମ୍ପା ହାଁସଦା(୭୦)।
ବାରିପଦା ସାରିମୂଳା ଅଞ୍ଚଳର ଚମ୍ପା ୨୫ ବର୍ଷ ହେଲା ନାଲ୍କୋ ସିପିପି ହଟିଂରେ ରହୁଛନ୍ତି। ଦୀର୍ଘ ଦିନ ଧରି ସେ ନାଲ୍କୋ ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ। ପରିବାର ବୋଲି କେହି ନ ଥିବାରୁ ନିଜ ରୋଜଗାରରେ ନିଜେ ଚଳି ଯାଇଥିଲେ। ହେଲେ ୨ ବର୍ଷ ତଳେ ଏକ ଅଜଣା ରୋଗରେ ପୀଡ଼ିତ ହେବା ପରେ ଆଉ କାମ କରିବାକୁ ସେ ସକ୍ଷମ ହେଲେନି। ଶରୀରର ବିଭିନ୍ନ ଅଂଶ ଫୁଲିଯିବା ସହ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ ଚାଲିଲା। ତେବେ ହଟିଂବାସୀ ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ଚାନ୍ଦା କରି ତାଙ୍କ ଖାଇବା ପିଇବା କଥା ମଧ୍ୟ ବୁଝୁଛନ୍ତି। ହେଲେ କିଛି ଦିନ ତଳେ ଚମ୍ପାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ନ ଖାଇ ନ ପିଇ ହଟିଂରେ ଥିବା ଏକ ଚାଳିଆ ଘରେ ପଡ଼ିରହିଛନ୍ତି। ରୋଗ ଭଲ ହେବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଥିବା କେତେଜଣ ହଟିଂବାସୀ ପ୍ରକାଶ କରିଛନ୍ତି। ଏତେ ଟଙ୍କା ଯୋଗାଡ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇଥିବାରୁ ସରକାର, ସ୍ଥାନୀୟ ପ୍ରଶାସନ କିମ୍ବା କୌଣସି ସଙ୍ଗଠନ ସହାୟତା ଯୋଗାଇଦେଲେ ଚମ୍ପା ସୁସ୍ଥ ହୋଇପାରନ୍ତେ ବୋଲି ହଟିଂବାସୀ ନିବେଦନ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଡ. ସ୍ବରୂପାନନ୍ଦ ସାହୁ କହିଛନ୍ତି, ଚମ୍ପାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କେହି ଅଭିଯୋଗ କରିନାହାନ୍ତି। ଯଦି ତାଙ୍କୁ ସରକାରୀ ଡାକ୍ତରଖାନାରେ କେହି ଭର୍ତ୍ତି କରନ୍ତି ତେବେ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ।