ଜୀବନ ସହ ସଂଗ୍ରାମ କରୁଛନ୍ତି ମହିଳା: ଆର୍ଥିକ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି

ଆନନ୍ଦପୁର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ଶାଳଦେଇ ଗ୍ରାମର ୪୨ ବର୍ଷୀୟା ସୁବାସିନୀ ଓଝା ଟ୍ୟୁମରର ଶିକାର ହୋଇ ବିଛଣାରେ ପଡିରହିଛନ୍ତି।
୨ ବର୍ଷ ତଳେ ତାଙ୍କ ସ୍ବାମୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ତେବେ ସୁବାସିନୀ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ନିଜର ଯଥା ସମ୍ଭବ ଚିକିତ୍ସା କରିଥିବାବେଳେ ଅର୍ଥ ଅଭାବରୁ ଔଷଧ କିଣିପାରୁ ନ ଥିବା ସେ କହିଛନ୍ତି। ଏନେଇ ସୁବାସିନୀ ଘସିପୁରା ବ୍ଲକରେ ଜଣାଇଥିଲେ ମଧ୍ୟ କୌଣସି ସହାୟତା ମିଳି ନ ଥିବାରୁ ସେ ରୋଗ ଶଯ୍ୟାରେ ଘରେ ପଡିରହିଛନ୍ତି। ସରକାରଙ୍କ ପକ୍ଷରୁ ମିଳିଥିବା ରାଶନ୍‌କାର୍ଡରେ ଯାହା ମିଳୁଛି ସେଥିରେ ତାଙ୍କର ଗୁଜୁରାଣ ମେଣ୍ଟିଯାଉଛି। ଜିଲାପାଳ ଏହି ଅସହାୟ ବିଧବା ମହିଳାଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।