ଜୀବନ ସହ ସାଂଘାତିକ ଖେଳ: ଫୋନ୍‌ରେ ରକ୍ତ ନାଁରେ ମିଛ ପ୍ରଚାର

ପୁରୁଣା ଭୁବନେଶ୍ୱର, ୧୦। ୭ (ଡି.ଏନ.ଏ.): ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି ଏକ ମିଥ୍ୟା ଖବର। ସରକାର ‘ବ୍ଲଡ୍‌ ଅନ୍‌ କଲ୍‌’ ନାମରେ ଏକ ନୂଆ ଯୋଜନା ଆଣିଛନ୍ତି ବୋଲି ସେଥିରେ ସୂଚନା ଦିଆଯାଇଛି। କୁହାଯାଇଛି ଯେ, ଭାରତର ଯେକୌଣସି ସ୍ଥାନରେ ଯେକେହି ରକ୍ତ ଆବଶ୍ୟକ କରୁଥିଲେ ୧୦୪ ନମ୍ବରକୁ ଡାଏଲ କରନ୍ତୁ। ଡାଏଲ୍‌ କରିବାର ମାତ୍ର ୪ ଘଣ୍ଟା ମଧ୍ୟରେ ବୋତଲ ପିଛା ୪୫୦ ଟଙ୍କା ଦାମ୍‌ରେ ୪୦ କିଲୋମିଟର ଦୂରତ୍ୱ ସୀମାରେ ରକ୍ତ ମିଳିଯିବ। ଯାତାୟାତ ଖର୍ଚ୍ଚ ବାବଦକୁ ଅତିରିକ୍ତ ୧୦୦ଟଙ୍କା ଦେବାକୁ ହେବ। ଯୋଜନା ବାବଦରେ ଅଧିକ ଜାଣିବା ପାଇଁ କେତେଜଣ ବ୍ୟକ୍ତି ସେଞ୍ଚୁରିୟାନ ବ୍ଲଡ୍‌ ଡୋନର ଗୋପୀମୋହନ ପଟ୍ଟନାୟକ ଓ ଜାତୀୟ ଯୁବ ପୁରସ୍କାରପ୍ରାପ୍ତ ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କୁ ପଚାରି ବୁଝିଥିଲେ। ସୁଶାନ୍ତ ଓ ଗୋପୀମୋହନ ବିଭିନ୍ନ ଉତ୍ସ ଅନୁସନ୍ଧାନ କରି ଏହା ଏକ ମିଛ ଖବର ବୋଲି ଜାଣିବାକୁ ପାଇଲେ। ଏବେ ରକ୍ତର ଘୋର ଅଭାବ ଦେଖା ଦେଇଥିବା ବେଳେ ଏଭଳି ମିଛ ଖବର ବିଭ୍ରାନ୍ତି ସୃଷ୍ଟି କରୁଛି। ଏଭଳି ମିଥ୍ୟା ଖବର ପ୍ରସାରଣକୁ ତୁରନ୍ତ ବନ୍ଦ କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନିମିତ୍ତ ଗୋପୀମୋହନ ଓ ସୁଶାନ୍ତ କହିଛନ୍ତି।

Share