ପ୍ରାଣୀଟିଏ ମରିଯାଏ। ତାକୁ ପୋଡ଼ିଦେଲେ ବା ପୋତିଦେଲେ ତାହା ନଷ୍ଟ ହୋଇଯାଏ। ଗଛଟିଏ ମରିଯାଏ। ତାହା ମାଟିରେ ମିଶିଯାଏ। ହେଲେ ବାସ୍ତବରେ ଏହି ପ୍ରାଣୀ ବା ଉଦ୍ଭିଦ କ’ଣ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇ ଯାଆନ୍ତି। ନା, ସେମିତି ଘଟେନା। ଗୋଟିଏ ପ୍ରାଣୀ ବା ଉଦ୍ଭିଦ ମରିଗଲା ପରେ ଆରମ୍ଭହୁଏ ଡିକମ୍ପୋଜିଶନ୍ ପ୍ରକ୍ରିୟା। ଆମେ ଦେଖୁ ତାହା ସମ୍ପୂର୍ଣ୍ଣ ମାଟିରେ ମିଶି ମାଟି ହୋଇଗଲା। ବାସ୍ତବରେ ଡିକମ୍ପୋଜିଶନ୍ ପ୍ରକ୍ରିୟାଟି ତାକୁ ଭିନ୍ନ ଏକ ରୂପକୁ ରୂପାନ୍ତରିତ କରିଦିଏ। ଜୀବାଶ୍ମ ସଜେଇ ଅୟୁତ କାଳ ଯାଏ ତାକୁ ପୃଥିବୀରେ ସାଇତିରଖେ। ଏବେ କ୍ୟାମ୍ବ୍ରିଜ୍ ସ୍ଥିତ ହାର୍ଭାଡ ୟୁନିଭର୍ସିଟିର ଗବେଷକମାନେ ଏକ ଚମକେଇ ଦବା ଭଳି କଥା ଘୋଷଣା କରିଛନ୍ତି। ସେମାନେ କହିଛନ୍ତି ଯେ, ମୃତ ଜୀବ ବା ଉଦ୍ଭିଦର ରିସାଇକ୍ଲିଂ କରାଯାଇ ପାରିବ। ଶହଶହ ବା ହଜାର ହଜାର ବର୍ଷ ତଳର ଜୀବାଶ୍ମରେ ସାଇତା ହୋଇ ରହିଥିବା ଡି.ଏନ୍.ଏ.କୁ ରିସାଇକ୍ଲିଂ କରି ସେଥିରୁ ନୂଆ ଏକ ଉଦ୍ଭାବନ କରାଯାଇ ପାରିବ। ତେବେ ସେହି ଉଦ୍ଭାବନ କ’ଣ ହେବ ସେକଥା କହିବା ସମ୍ଭବ ନୁହେଁ। ଏହି ବିଷୟକୁ ନେଇ ହାର୍ଭାଡର ଗବେଷକମାନେ କାମ କରିବା ଆରମ୍ଭ କରିଦେଇଛନ୍ତି। ପୌରାଣିକ ମତବାଦ ଅନୁଯାୟୀ ଗୋଟିଏ ଜୀବର ଆତ୍ମା ମରେନା। ତାହା କୌଣସି ନା କୌଣସି ରୂପ ନେଇ ପୁଣିଥରେ ଆତ୍ମପ୍ରକାଶ କରେ। ଆମମାନଙ୍କ ପାଇଁ ଏହା କେବଳ ଗୋଟିଏ ପୌରାଣିକ କଥା। ଯଦି ହାର୍ଭାଡର ଗବେଷକମାନେ ରିସାଇକ୍ଲିଂ ଜରିଆରେ କିଛି ନୂଆ ଉଦ୍ଭାବନ କରନ୍ତି ଅର୍ଥାତ୍ ଗୋଟିଏ ଜୀବ ବା ଉଦ୍ଭିଦରୁ ଆଉ ଏକ ତତ୍ତ୍ୱର ସୃଷ୍ଟିହୁଏ ତା’ହେଲେ ଉପରୋକ୍ତ ପୌରାଣିକ କଥାଟି ଯେ ସତ୍ୟ ସେଥିରେ ଆଉ ସନ୍ଦେହ କରାଯାଇପାରିବ ନାହିଁ।