Categories: ରାୟଗଡା

ଜୀବିକା ନେଇ ହତାଶ ୭୨୫ ମତ୍ସ୍ୟଜୀବୀ

କୋଲାବନଗର,୨୯ା୪(ଡି.ଏନ୍‌.ଏ.): ମାଛଚାଷକୁ ନେଇ ସ୍ବାବଲମ୍ବୀ ହୋଇଥିବା ଅପରକୋଲାବ ବିସ୍ଥାପିତ ପରିବାରର ୭୨୫ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଏବେ ଅନିଶ୍ଚିତତା ଭିତରେ ରହିଛି। ଜୟପୁର ମତ୍ସ୍ୟ ବିଭାଗର ଅପାରଗତା ଯୋଗୁ ସେମାନଙ୍କ ପାଖରେ ମାଛ ମାରିବା ପାଇଁ ଜାଲ କି ଡଙ୍ଗାଟିଏ ନାହିଁ। ୨ କୋଟି ବ୍ୟୟ ଅଟକଳରେ ନିର୍ମିତ କେଜ୍‌ କଲଚର ବି ନଷ୍ଟ ହେବାକୁ ବସିଲାଣି।

ଅପରକୋଲାବର ସୁଦୀର୍ଘ ୩୧ କିମି ଜଳଭଣ୍ଡାରରେ ମାଛଚାଷ କରିବା ପାଇଁ ଜୟପୁର ଜିଲା ମତ୍ସ୍ୟ ବିଭାଗ ଏକ ମତ୍ସ୍ୟଜୀବୀ ସମବାୟ ଗଠନ କରିଥିଲା, ଯାହାର ନାଁ ମୀନାକ୍ଷୀ ମତ୍ସ୍ୟଜୀବୀ ସମବାୟ ସମିତି। ଏହି ସମିତି ୧୯୯୦ରୁ କାର୍ଯ୍ୟକ୍ଷମ ହୋଇ ସଭାପତି ଦିଲିପ ବାଘଙ୍କ ତତ୍ତ୍ୱାବଧାନରେ ୨୦୦୫ ପର୍ଯ୍ୟନ୍ତ ଚାଲିଥିଲା ା ଏହି ସମବାୟରେ ୩୦ ଖଣ୍ଡ ବିସ୍ଥାପିତ ଗ୍ରାମର ୭୨୫ ଜଣ ଅନୁସୂଚିତ ଜାତି ଓ ଜନଜାତିର ମତ୍ସ୍ୟଜୀବୀଙ୍କୁ ପ୍ରତିବର୍ଷ ମତ୍ସ୍ୟ ନିରୀକ୍ଷକ ମହାପାତ୍ର ଚାଷ ଓ ମାଛ ମାରିବାର ତାଲିମ ଦେଉଥିଲେ। ଏହା ମତ୍ସ୍ୟଜୀବୀମାନଙ୍କ ପରିବାର ପ୍ରତିପୋଷଣ କରିବା ସହ ଆର୍ଥିକ ଉନ୍ନତି ମଧ୍ୟ କରୁଥିଲା। ସେମାନଙ୍କୁ ପ୍ରତିବର୍ଷ ମାଛଧରା ଡଙ୍ଗା ଓ ବିଭିନ୍ନ କିସମର ଜାଲ ଋଣ ସୂତ୍ରରେ ଯୋଗାଇ ଦିଆଯାଉଥିଲା ା ଫଳରେ କୋଲାବ ଜଳଭଣ୍ଡାରରୁ ଅମଳ ମାଛ କୋରାପୁଟ ଜିଲାସାରା ରପ୍ତାନି ହେଉଥିଲା। ଏହା ବ୍ୟତୀତ ୨କୋଟି ଟଙ୍କା ବ୍ୟୟରେ କେନ୍ଦ୍ର ମତ୍ସ୍ୟ ବିଭାଗ କମିଶନର ପ୍ରିୟବ୍ରତ ସାହୁଙ୍କ ତତ୍ତ୍ୱାବଧାନରେ ପରୀକ୍ଷାମୂଳକ ଭାବେ ଏକ କେଜ୍‌ କଲଚର ଆରମ୍ଭ କରାଯାଇଥିଲା ା ଉକ୍ତ କେଜ୍‌ରେ ଫଙ୍ଗସ୍‌ ମାଛ ଯାଆଁଳ ଛଡ଼ାଯିବା ପରେ ୧୦ ମାସ ମଧ୍ୟରେ ଯାଆଁଳ ଏକ କିଲୋରୁ ୧.୫ କିଲୋ ପର୍ଯ୍ୟନ୍ତ ହୋଇଥିଲା। ଉକ୍ତ ପଙ୍ଗସ୍‌ ମାଛ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲାରେ ପ୍ରଚୁର ପରିମାଣରେ ବିକ୍ରି କରାଯାଇ ଯଥେଷ୍ଟ ଅର୍ଥ ଉପାର୍ଜନ କରାଯାଇପାରିଥିଲା। ଏହି ସଫଳତା ପାଇଁ ମୀନାକ୍ଷୀ ମତ୍ସ୍ୟଜୀବୀ ସମବାୟ ସମିତି ସମବାୟ କ୍ଷେତ୍ରରେ ଓଡ଼ିଶାରେ ପ୍ରଥମସ୍ଥାନ ଅଧିକାର କରିଥିଲା।

ପରିତାପର ବିଷୟ, ସରକାର ମତ୍ସ୍ୟଜୀବୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ସହାୟତା ଦେଉଥିଲେ ମଧ୍ୟ ୨୦୦୮ରୁ ଜୟପୁର ଜିଲା ମତ୍ସ୍ୟ ବିଭାଗର ଅପାରଗତା ଓ ଆନ୍ତରିକତାର ଅଭାବ ଯୋଗୁ ବିସ୍ଥାପିତ ଆଦିବାସୀ ଦଳିତ ପରିବାରର ତାଲିମପ୍ରାପ୍ତ ୭୨୫ ଜଣ ମତ୍ସ୍ୟଜୀବୀ ଦୁଃଖକଷ୍ଟ ଓ ଅଭାବ ଅନାଟନରେ ଦିନ କାଟୁଛନ୍ତି ା ୨ କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଥିବା କେଜ୍‌ କଲ୍‌ଚର ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଗଲାଣି ା ବିସ୍ତୃତ ଜଳଭଣ୍ଡାରରେ ୧୫/୨୦  କିଲୋର ଭାକୁର, ରୋହିମାଛ ଅନେକ ସମୟରେ ମରି ଭାସୁଥିବା ଦେଖିବାକୁ ମିଳୁଛି। କିନ୍ତୁ ମତ୍ସ୍ୟଜୀବୀମାନେ ଦଣ୍ଡିକିରି ମାଛଟିଏ ଜଳଭଣ୍ଡାରରୁ ଧରିବା ପାଇଁ ଅକ୍ଷମ ହୋଇପଡ଼ିଛନ୍ତି। ଏଥିପ୍ରତି ମତ୍ସ୍ୟ ବିଭାଗ ପଦକ୍ଷେପ ନେବା ପାଇଁ ଦାବି ହୋଇଛି।