ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୨୭।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟକରୁଥିବା ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ୧୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚର କର୍ମକର୍ତ୍ତା ରାଜୀବ ମଲ୍ଲିକଙ୍କ ସମେତ ଚିତ୍ତରଞ୍ଜନ ପ୍ରଧାନ, ମନୁ ଦିଗାଳ, ଜୋଏଲ ପ୍ରଧାନ, ରଟିନା ରଣଷଣ୍ଢ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି ଏମ୍‌ଜିଏନ୍‌ଆରଇଜିଏ ଯୋଜନାରେ ମଜୁରି ବୃଦ୍ଧି, କୃଷି କ୍ଷେତ୍ରରେ ଦ୍ୱିତୀୟ ଫସଲ ଉପତ୍ାଦନ ପାଇଁ ଏକ ଦୀର୍ଘମିଆଦୀ ଯୋଜନା ପାଇଁ ଦାବିରେ ଉଲ୍ଲେଖ କରାଯାଇଛି। ସେହିପରି ଖାଦ୍ୟ ସୁରକ୍ଷା ଆଇନ ୨୦୧୮ରେ ପୁଷ୍ଟିକର ଖାଦ୍ୟକୁ ଅନ୍ତର୍ଭୁକ୍ତ, ଶିକ୍ଷା କ୍ଷେତ୍ରରେ ଶିକ୍ଷା ଅଧିକାର ଆଇନକୁ ଠିକ୍‌ ଏବଂ ଫଳପ୍ରଦ କରାଯିବା ସହ ସମସ୍ତ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା, ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଅଧିକାର ଆଇନ ପ୍ରଣୟନ, ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ, ଜଙ୍ଗଲ ଜମି ଅଧିକାର ଆଇନ ସହ ଭୂମିହୀନକୁ ଜମି ଯୋଗାଇଦେବା ଆଦି ସେମାନଙ୍କ ପ୍ରମୁଖ ଦାବି ରହିଛି। ଏହି ସବୁ ସମସ୍ୟାର ସମାଧାନ କରାଯିବା ସହ ବିଧାନସଭାରେ ପ୍ରଶ୍ନକରି ଅଞ୍ଚଳର ବିକାଶ କରିବାକୁ ମଞ୍ଚ ପକ୍ଷରୁ ବିଧାୟକ ପ୍ରଧାନଙ୍କ ନିକଟରେ ଦାବି କରାଯାଇଛି।