ଜୀବିକା ହରାଇଲେ ବାଜାବାଲା: ସହାୟତା ଦାବି କଲା ଭାଜପା

ବରଗଡ଼ ଅଫିସ,୧୧।୬: କରୋନା ଭାଇରସ୍‌ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରାଯାଇଛି। ଏଥିରେ ବାଜାବାଲା(ବଜନିଆଁ)ମାନେ ନିଜ ଜୀବିକା ହରାଇଛନ୍ତି। ସାଧାରଣତଃ ଅନୁସୂଚିତ ଜାତି ବର୍ଗର ଏହି ଅଣସ୍ବୀକୃତ କଳାକାରମାନେ ବିଭିନ୍ନ ପର୍ବପର୍ବାଣୀଠାରୁ ଆରମ୍ଭ କରି ବିବାହ ଆଦି ଉତ୍ସବରେ ଢୋଲ, ନିଶାନ ଓ ଦୁଲଦୁଲି ବଜାଇ ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ କରୋନା ଯୋଗୁ ରୋଜଗାର ଠପ୍‌ ହୋଇଯାଇଥିବାରୁ ଏବେ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇପଡିଛି। ଫଳରେ ସେମାନଙ୍କୁ ସରକାରୀ ସହାୟତା ତଥା ପେନସନ ଯୋଗାଇବା ଦିଗରେ ବିହିତ ପଦକ୍ଷେପ ନେବାକୁ ଭାଜପା ଦାବି କରିଛି। ଗୁରୁବାର ଦଳର ରାଜ୍ୟ ସମ୍ପାଦକ ସୁଶାନ୍ତ ମିଶ୍ରଙ୍କ ନେତୃତ୍ୱରେ ଭାଜପା କର୍ମକର୍ତ୍ତାମାନେ ବରଗଡ଼ ଜିଲାପାଳଙ୍କ ଅଫିସକୁ ଯାଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ କଲେକ୍ଟର ସୁମତୀ ପଣ୍ଡା ଏହି ସ୍ମାରକପତ୍ର ଗ୍ରହଣ କରିଥିବା ଜଣାପଡ଼ିଛି।

Share