ଜୀବିତ ବାଳକଙ୍କୁ ମୃତ ଘୋଷଣା : ଜଳେଶ୍ୱର ଡାକ୍ତରଖାନାରେ ଭଙ୍ଗାରୁଜା, ରାସ୍ତାରୋକ

ଜଳେଶ୍ୱର,୧୫ା୮: ବାଲେଶ୍ୱର ଜିଲା ଜଳେଶ୍ୱର ସ୍ଥିତ ଗୋପୀ କିଶନ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଜୀବିତ ବାଳକକୁ ଡାକ୍ତର ମୃତ ଘୋଷଣା କରିବା ନେଇ ଗୁରୁବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଦାୟିତ୍ୱରେ ଥିବା ଡାକ୍ତରଙ୍କ ଘର ଉପରକୁ ଢେଲାପଥର ମାଡ଼ କରାଯାଇଥିବା ଖବର ମିଳିଛି। ପରିସ୍ଥତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।


ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ୧୨ ବର୍ଷ ବୟସ୍କ ବାଳକଙ୍କ ଦେହ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ଗୁରୁବାର ସକାଳେ ତାଙ୍କୁ ସ୍ଥାନୀୟ ଗୋପୀ କିଶନ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଥିବା ଦାନ୍ତ ବିଭାଗର ଜଣେ ଡାକ୍ତର ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରି ବାଳକଙ୍କୁ ମୃତ ଘୋଷଣା କରିଥିଲେ। ପରେ ଡାକ୍ତର ଗଣେଶଚନ୍ଦ୍ର ପାଳ ମଧ୍ୟ ଉକ୍ତ ବାଳକଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ବାଳକଙ୍କ ପରିବାର ଲୋକେ ମୃତଦେହ ଘରକୁ ନେଇ ସତ୍କାର କରିବା ବେଳେ ବାଳକ ଜଣକ ବଞ୍ଚିଥିବା ଜଣା ପଡିଥିଲା। ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ବାଲେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଗୋପୀକିଶନ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ବାଳକଙ୍କ ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରି ମୃତ ବାଳକଙ୍କ ପରିବାର ଲୋକେ ଉତ୍ତେଜିତ ହୋଇ ପଡିଥିଲେ। ପରେ ସେମାନେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପହଞ୍ଚି ହୋହଲ୍ଲା କରିଥିଲେ। ଉତ୍ତ୍ୟକ୍ତ ଲୋକେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଭଙ୍ଗାରୁଜା କରି ଜଳେଶ୍ୱର- ଚନ୍ଦନେଶ୍ୱର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା ଚଳାଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପୋଲିସ ଫୋର୍ସ ମୃତୟନ କରାଯାଇଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ନ ଥିବା ବେଳେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।