Advertisement

ଜୀବିତ ଲୋକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ

ବରଗଡ଼ ଅଫିସ/ଅତାବିରା,୮ା୮: ଜଣେ ଜୀବିତ ଲୋକଙ୍କୁ ପୋଲିସ ମୃତ ଭାବିବା ଓ ବ୍ୟବଚ୍ଛେଦ ପାଇଁ ପଠାଇବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ବ୍ୟବଚ୍ଛେଦ ଗୃହରେ ସମ୍ପୃକ୍ତ ବ୍ୟକ୍ତି ଜୀବିତ ଥିବା ଜଣାପଡିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବା ଘଟଣା ଏଠାରେ ବିବାଦ ସୃଷ୍ଟି କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ପୋଡ଼ବାଡ଼ି (ବାବାଟିକ୍ରା)ର ରାହାସ ବିହାରୀ ଭୋଇ(୭୦) କୁଚିଣ୍ଡା ଭୋଜପୁର ଫରେଷ୍ଟ ରେଞ୍ଜରେ ଫରେଷ୍ଟ ଗାର୍ଡ଼ ଭାବେ କାର୍ଯ୍ୟରତ ଥିଲେ। ଅବସର ନେବା ପରେ ସେ ପୋଡ଼ବାଡ଼ି ବାବାଟିକ୍ରାକୁ ଆସି ସ୍ତ୍ରୀ ଗୋଲାପୀଙ୍କ ସହିତ ରହୁଥିଲେ। ତାଙ୍କ ଦୁଇ ପୁଅ ସୁରେନ୍ଦ୍ର, ଟୁନା ବାହାରେ ରହି କାମ କରନ୍ତି। ପ୍ରତିଦିନ ଭଳି ରାହାସ ମଙ୍ଗଳବାର ସକାଳୁ ଉଠି ଶୌଚ ପାଇଁ ଘରୁ ବାହାରିଥିଲେ। ପରେ ବାବାଟିକ୍ରାରୁ ଝାଇଁଜୋର ପଟକୁ ଯାଇଥିବା ଏକ ଛୋଟ କେନାଲରେ ଉଲଗ୍ନ ଓ ଅଚେତ ଅବସ୍ଥାରେ ସେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାହାସଙ୍କୁ ମୃତ ଭାବି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା। ତେବେ ଜଣେ ପଡ଼ୋଶୀ ସେ ଜୀବିତ ଥିବା ଅନୁମାନ କରି କହିବାରୁ ପୋଲିସ ତାଙ୍କୁ ଶବଗୃହରୁ ତୁରନ୍ତ ଡାକ୍ତରଖାନାର ଜରୁରିକାଳୀନ ୱାର୍ଡ଼କୁ ନେଇଥିଲା। ସେଠାରେ ଡାକ୍ତର ରାହାସ ଜୀବତ ଥିବା ଜଣାପଡିଥିଲା । ପରେ ଡାକ୍ତର ରାହାସଙ୍କୁ ସାଲାଇନ ଓ ଅକ୍ସିଜେନ ଦେଇ ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ଜମି ବିବାଦରୁ ତାଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି। ଏ ନେଇ ଅତାବିରା ଥାନା ପୋଲିସ ଦଫା ୩୦୨ରେ ଏକ ମାମଲା (ନଂ.୧୬୮/୧୯) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ମୃତଦେହକୁ ଜିଲା ମୁଖ୍ୟ ଡାକ୍ତରଖାନା ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଗୁରୁବାର ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel