
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀରେ ଆନିକଟ୍ ତଥା ଆନ୍ତଃନଦୀ ଜଳାଶୟ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋମବାର ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ଏକ ଟିମ୍ ବରଗଡ଼ ପହଞ୍ଚି ଥିଲେ। ଏହି ଟିମ୍ରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ, ଯୋଜନା ବିଭାଗର ମୁଖ୍ୟଯନ୍ତ୍ରୀ ସାଗର ମହାନ୍ତି, ବୁର୍ଲାର ମୁଖ୍ୟଯନ୍ତ୍ରୀ ସୁଶିଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ସ୍ଥାନୀୟ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସହିତ ଜୀରାନଦୀକୁ ଯାଇଥିଲେ। ଜୀରାନଦୀ ବାଲିଟିକ୍ରାଠାରୁ ଅମ୍ବାପାଲି ପର୍ଯ୍ୟନ୍ତ ଯାଇଥିଲେ ଏବଂ ଆନ୍ତଃନଦୀ ଜଳାଶୟ ପାଇଁ ସର୍ଭେକ୍ଷଣ କରିଥିଲେ। ଏଥିପାଇଁ ପ୍ରସ୍ତୁତ ମ୍ୟାପ୍ ଧରି ଆନ୍ତଃନଦୀ ଜଳାଶୟ ନିର୍ମାଣ ଉପରେ ଆଲୋଚନା କରିଥିଲେ।
ଆନ୍ତଃନଦୀ ଜଳାଶୟରେ ପାଣି କୂଳ ଲଙ୍ଘିବ ନାହିଁ। ଅନ୍ୟପଟେ ଭୂତଳ ଜଳସ୍ତର ବୃଦ୍ଧି ହେବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପାଢ଼ୀ କହିଛନ୍ତି। ସେହିପରି ଏହା ନିର୍ମାଣରେ ଜମି ଅଧିଗ୍ରହଣ କିମ୍ବା ବିସ୍ଥାପନର କୌଣସି ଆବଶ୍ୟକତା ନାହିଁ। ଅନ୍ୟପଟେ ଜୀରାନଦୀରେ ଏହା ନିର୍ମାଣ ହେଲେ ଅଞ୍ଚଳର ବିକାଶ ହେବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ସେହିପରି ବିଶୋଧନ କରି ପାନୀୟଜଳଭାବେ ମଧ୍ୟ ତାହା ବ୍ୟବହାର କରି ହେବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ବରଗଡ଼ ବିଧାୟକ ଷଡ଼ଙ୍ଗୀ କହିଛନ୍ତି, ପିଲାବେଳୁ ବରଗଡ଼ ଜୀରାନଦୀରେ ଏକ ଆନିକଟ୍ ହେବ ବୋଲି ଶୁଣି ଆସୁଥିଲି। ହେଲେ ଏପର୍ଯ୍ୟନ୍ତ ତାହା ନିର୍ମାଣ ହୋଇ ପାରି ନାହିଁ। ତେବେ ଗତ ଧନୁଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଅତିଥିଭବେ ମହୋତ୍ସବକୁ ଆସିଥିଲେ। ସେତେବେଳେ ସେ ରାଜ ଦରବାରରେ ଆନିକଟ୍ ନେଇ ଘୋଷଣା କରିଥିଲେ। ସେହି କ୍ରମରେ ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ନଦୀର ଜଳସ୍ତର ୭ରୁ ୮ଫୁଟ୍ ତଳକୁ ଖସି ଯାଇଛି। ଆନିକଟ୍ ହେଲେ ଜଳସ୍ତର ବୃଦ୍ଧି ପାଇବ। ଏହା ସହିତ ବରଗଡ଼ର ସୌନ୍ଦର୍ଯ୍ୟରେ ଅଭିବୃଦ୍ଧି ଘଟିବା ସହିତ ବରଗଡ଼ର ମାନ, ଅଭିମାନ ମଧ୍ୟ ଏଥିରେ ରହିବ।