ଗୋପାଳପୁର,୨ା୯-ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ଗତ ୩ ମାସ ହେଲା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବେଳାଭୂମିରେ ନିର୍ମାଣ ଚାଲିଥିବା ଏକ ଶୌଚାଳୟ ଜୁଆର ମାଡ଼ରେ ଭୁଷୁଡ଼ି ପଡ଼ିଛି। ୭୬ ଲକ୍ଷ ଟଙ୍କାରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ କିଛିଦିନ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କଳିଙ୍ଗ ହୋଟେଲ ନିକଟରେ ନିର୍ମିତ ହୋଇଥିବା ଉକ୍ତ ଶୌଚାଳୟର ଗୋଟିଏ ପାର୍ଶ୍ୱ ଭୁଷୁଡ଼ି ପଡ଼ିଥିଲା। ଶୌଚାଳୟ ନ ଥିବାରୁ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ବର୍ତ୍ତମାନ ୧୦ ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଜୁଆର ମାଡ଼ରେ ସ୍ଥାନୀୟ ହୋଟେଲ ଗୁଡ଼ିକର ପଥର ଗୁଡ଼ିକ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଏ ସମ୍ପର୍କରେ ବିଡିଏ ସଚିବ ସମ୍ବିତ ରାଉତଙ୍କୁ ପଚାରିବାରୁ ଜୁଆର ମାଡ଼ରେ କ୍ଷତି ହୋଇଛି। ଗତ ତିନିମାସ ଧରି ଉକ୍ତ କାର୍ଯ୍ୟ ଚାଲୁଥିଲା। ଶୀଘ୍ର ଉକ୍ତ ଶୌଚାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।