Categories: କନ୍ଧମାଳ

ଜୁଡ଼ାବାଲି ପଞ୍ଚାୟତରେ ମାଓବାଦୀ ପୋଷ୍ଟର: ଜେଏମ୍‌ଆଇ ଛାତ୍ରୀଛାତ୍ରଙ୍କୁ ଆକ୍ରମଣର ନିନ୍ଦା

ବାଲିଗୁଡା/କୋଟଗଡ,୧୯ା୧୨(ଡି.ଏନ୍‌.ଏ.)- ୮ ମାସର ନୀରବତା ପରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କୋଟଗଡରେ ମାଓବାଦୀମାନେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି। ବୁଧବାର କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏହା ପୂର୍ବରୁ ମଙ୍ଗଳବାର ରାତିରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ୫ନଂ ରାଜ୍ୟ ରାଜପଥର କୋଟଗଡ଼-ମୁନିଗୁଡା ରାସ୍ତା ଜୁଡାବାଲି ପଞ୍ଚାୟତର ଗେଟ୍‌ବାଲି ଛକ ନିକଟ ଏକ ତେନ୍ତୁଳି ଗଛରେ ମାଓବାଦୀମାନେ ଏକାଧିକ ମାଓ ପୋଷ୍ଟର ଓ ଲାଲ ବ୍ୟାନର ମାରିଥିବା ବୁଧବାର ସକାଳୁ ଦେଖିବାକୁ ମିଳିଥିଲା। ବାଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନାଲ କମିଟି ସିପିଆଇ ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଉଲ୍ଲେଖ ରହିଛି। ଦିଲ୍ଲୀ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ପୋଷ୍ଟରରେ ବିରୋଧ କରାଯାଇଛି। ଏହାସହ ଭାଜପା ଭୋଟବ୍ୟାଙ୍କ ପାଇଁ ନାଗରିକତ୍ୱ ସଂଶୋଧନ ଆଇନ ଆଣିଛି। ଏପରି ଘୃଣିତ ବିଭାଜନକାରୀ ଆଇନକୁ ବିରୋଧ କରିବାକୁ ପୋଷ୍ଟରରେ ମାଓବାଦୀମାନେ ଆହ୍ବାନ ଦେଇଛନ୍ତି। ଲାଲ ବ୍ୟାନର ଅନ୍ୟ ଏକ ହାତଲେଖା ପୋଷ୍ଟରରେ ସରକାର, ସିଆରପିଏଫ, ପୋଲିସ ଓ ପୁଞ୍ଜିପତିଙ୍କୁ ଟାର୍ଗେଟ କରିବା ସହ ଗଣମାଧ୍ୟମକୁ ନିନ୍ଦା କରାଯାଇଛି।