Categories: ବାଣିଜ୍ୟ

ଜୁନ୍‌ରେ ଔଦ୍ୟୋଗିକ ଉତ୍ପାଦନ ବୃଦ୍ଧି ହାର ୨%କୁ ହ୍ରାସ

ନୂଆଦିଲ୍ଲୀ,୧୦-୮: ଦେଶର ଅର୍ଥନୀତି ଦିନକୁ ଦିନ ଦୂରାବସ୍ଥା ଆଡକୁ ଗତି କରୁଛି। ମାନ୍ଦାବସ୍ଥା କାରଣରୁ ଅର୍ଥନୀତି ଏବେ ଆଣ୍ଠେଇଲାଣି। ଆର୍ଥିକ ବିକାଶ ଦର୍ଶାଉଥିବା ସମସ୍ତ ତଥ୍ୟ ଏବେ ପ୍ରତିକୂଳ ହେବାରେ ଲାଗିଛି। ଖଣି ଓ ମାନୁଫାକ୍‌ଚରିଂ କ୍ଷେତ୍ରରେ ଖରାପ ପ୍ରଦର୍ଶନ କାରଣରୁ ଜୁନ୍‌ରେ ଔଦ୍ୟୋଗିକ ଉତ୍ପାଦନ ବୃଦ୍ଧି ହାର ୨ ପ୍ରତିଶତକୁ ହ୍ରାସ ପାଇଛି, ଯାହା କି ଅତ୍ୟନ୍ତ ଚିନ୍ତାଜନକ। ସରକାରଙ୍କ ପକ୍ଷରୁ ଶୁକ୍ରବାର ଜାରି ତଥ୍ୟ ଅନୁଯାୟୀ, ଗତବର୍ଷ ଜୁନ୍‌ରେ ଔଦ୍ୟୋଗିକ ଉତ୍ପାଦନ ବିକାଶ ହାର ୭ ପ୍ରତିଶତ ହାରରେ ବୃଦ୍ଧି ପାଉଥିଲା। ଜୁନ୍‌ରେ ବିନିର୍ମାଣ କ୍ଷେତ୍ରରେ ବୃଦ୍ଧି ହାର ୬.୯୦ ପ୍ରତିଶତ ତୁଳନାରେ ହ୍ରାସ ପାଇ ୧.୨୦ ପ୍ରତିଶତ ହୋଇଛି। ସେହିପରି ବିଜୁଳି ଉତ୍ପାଦନ ବୃଦ୍ଧି ହାର ମଧ୍ୟ ୮.୫୦ ପ୍ରତିଶତ ସ୍ଥାନରେ ୮.୨୦ ପ୍ରତିଶତକୁ ଖସିଆସିଛି। ଖଣି କ୍ଷେତ୍ରରେ ବୃଦ୍ଧି ହାର ୬.୫୦ ପ୍ରତିଶତ ସ୍ଥାନରେ ହ୍ରାସ ପାଇ ୧.୬୦ ପ୍ରତିଶତ ହୋଇଛି। ଜୁନ୍‌ରେ କ୍ୟାପିଟାଲ ଗୁଡ଼୍‌ସ ଅଭିବୃଦ୍ଧି ହାର ହ୍ରାସ ପାଇ ମାଇନସ୍‌ ୬.୫% ରହିଛି,ଯାହା କି ମେ’ରେ ୦.୮ ପ୍ରତିଶତ ରହିଥିଲା। କଞ୍ଜ୍ୟୁମର ଡ୍ୟୁରେବଲ୍ସ ବୃଦ୍ଧି ହ୍ରାସ ପାଇ ମାଇନସ ୫.୫% ରହିଛି, ଯାହା କି ମେ’ରେ ୦.୧% ଥିଲା। ଅନୁରୂପ ଭାବେ କଞ୍ଜ୍ୟୁମର ନନ୍‌ ଡ୍ୟୁରେବଲ୍ସ ବିକାଶ ହାର ମେ’ରେ ୭.୭ ପ୍ରତିଶତ ରହିଥିବା ବେଳେ ଜୁନ୍‌ରେ ସାମାନ୍ୟ ବଢ଼ି ୭.୮ ପ୍ରତିଶତ ହୋଇଛି।

Share