ଜୁନ୍‌, ଜୁଲାଇ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହ: ବାଚସ୍ପତି

ଭୁବନେଶ୍ୱର, ୪।୬(ବ୍ୟୁରୋ):ଗଞ୍ଜାମର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଭିଡିଓ କନ୍‌ଫରେନ୍ସ ଜରିଆରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୌସୁମୀ ଜନିତ ସମ୍ଭାବ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଜିଲାର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା। ବିଧାନସଭାର କନ୍‌ଫରେନ୍ସ ପ୍ରକୋଷ୍ଠରେ ଉପସ୍ଥିତ ରହି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କରୋନା ପରିଚାଳନା ପାଇଁ ଜନପ୍ରତିନିଧି ଓ ଜଲା ପ୍ରଶାସନକୁ ସାଧୁବାଦ ଜଣାଇଥିଲେ। ଜୁନ୍‌ ଓ ଜୁଲାଇ କରୋନା ସଂକ୍ରମଣ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଥିବାରୁ ଏଥିଲାଗି ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ଠିକ୍‌ ସମୟରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଯୋଗାଇବା ଉପରେ ଉଭୟ ବାଚସ୍ପତି ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୁରୁତ୍ୱ ଆରୋପ କରିଥିଲେ। ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଯୋଗାଣ ଓ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବାକୁ ବାଚସ୍ପତି ପରାମର୍ଶ ଦେଇଥିଲେ। ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀମାନେ ଶୃଙ୍ଖଳା ପାଳନ କରିବା ଓ ପୋଲିସ ପ୍ରଶାସନ ଏ ଦିଗରେ ଯତ୍ନବାନ ହେବାକୁ ବାଚସ୍ପତି ପରାମର୍ଶ ଦେଇଥିଲେ।

Share