ଜୁନ୍‌ ପର୍ଯ୍ୟନ୍ତ ପାକିସ୍ତାନକୁ ମହଲତ

ନୂଆଦିଲ୍ଲୀ, ୨୨ା୨: ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦକରିବା ସହ ତୁରନ୍ତ ଏଫ୍‌ଏଟିଏଫ୍‌ (ଫାଇନାନ୍ସିଆଲ୍‌ ଆକ୍ସନ୍‌ ଟାସ୍କଫୋର୍ସ) ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ କରିବାକୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ୨୦୧୮ ଜୁନ୍‌ରେ ପାକିସ୍ତାନ ‘ଗ୍ରେ ଲିଷ୍ଟ’ରେ ରହିଥିବା ବେଳେ ପୁଣି ଡେ୍‌ଲାଇନ୍‌ ଶେଷରେ ଶୁକ୍ରବାର ଟେରର୍‌ ଓ୍ବାଚ୍‌ଡଗ୍‌ ଏଫ୍‌ଏଟିଏଫ୍‌ ପକ୍ଷରୁ ଚେତାବନୀ ଦିଆଯାଇ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଜୁନ୍‌ ସୁଦ୍ଧା ପାକିସ୍ତାନ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଓ ଏଫ୍‌ଏଟିଏଫ୍‌ ପକ୍ଷରୁ ଦିଆଯାଇଥିବା ୨୭ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ନ କଲେ କଳା ତାଲିକାଭୃକ୍ତ କରାଯିବ ବୋଲି କୁହାଯାଇଛି। ଫଳରେ ପାକିସ୍ତାନ ଅଧିକ ଆର୍ଥତ୍କ କଟକଣାରୁ ସମ୍ମୁଖୀନ ହେବ। ପ୍ୟାରିସ୍‌ରେ ଅନୁଷ୍ଠିତ ଏଫ୍‌ଏଟିଏଫ୍‌ ବୈଠକରେ ସୀମିତ ସମୟ ମଧ୍ୟରେ ପାକିସ୍ତାନ ଦିଆଯାଇଥିବା ଟାସ୍କ ପୂରଣ କରିବାରେ ବ୍ୟର୍ଥ ହୋଇଥିବା ଦର୍ଶାଯାଇ ଅଧିକ ସମୟ ଦିଆଯାଇଛି। ଚାଇନା ଏକମାତ୍ର ଦେଶ ଭାବେ ପାକିସ୍ତାନ ପଦକ୍ଷେପକୁ ପ୍ରଶଂସା କରି ୨୭ରୁ ୧୪ଟି ବିରୋଧରେ ପଦକ୍ଷେପ ଗ୍ରହଣ କରିବା ସ୍ବାଗତଯୋଗ୍ୟ ବୋଲି ପ୍ରକାଶ କରିଛି। ପ୍ରକାଶଥାଉ କି, ଏଫ୍‌ଏଟିଏଫ୍‌ ବୈଠକ ପୂର୍ବରୁ ପାକିସ୍ତାନ ପକ୍ଷରୁ ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ହାଫିଜ୍‌ ସୟିଦଙ୍କୁ ଜେଲ ଦଣ୍ଡାଦେଶ ଦିଆଯାଇଛି। ଏଥିସହ ଜୈଶ-ଇ-ମହମ୍ମଦ, ହକାନୀ ନେଟଓ୍ବାର୍କ, ଅଲ୍‌ କାଏଦା, ତେହରିକ୍‌-ଇ-ତାଲିବାନ୍‌ ପାକିସ୍ତାନ, ଇସ୍‌ଲାମିକ୍‌ ଷ୍ଟେଟ୍‌ ଭଳି ଜାତିସଂଘ ଦ୍ୱାରା ନିଷିଦ୍ଧ ଏକାଧିକ ଆତଙ୍କବାଦୀ ସଙ୍ଗଠନକୁ ପାକିସ୍ତାନ ସହଯୋଗ କରିଆସୁଛି। ଏଥିସହ ମନିଲଣ୍ଡରିଂ କରି ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀଙ୍କୁ ଆର୍ଥତ୍କ ସହଯୋଗ କରିଆସୁଛି। ସୀମାପାର୍‌ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଛି। ତେଣୁ ପାକିସ୍ତାନକୁ ଏଫ୍‌ଏଟିଏଫ୍‌ ପକ୍ଷରୁ ଚେତାବନୀ ଦିଆଯିବା ସହ ଜୁନ୍‌ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ପାକିସ୍ତାନ କଳାତାଲିକାଭୃକ୍ତ ହେବାର ଆଶଙ୍କା ରହିଛି।

Share