ଡେରାଡୁନ,୨୯।୫: ଦେଶରେ କରୋନା ମହାମାରୀ ପାଇଁ ଚାଲିଥିବା ଲକ୍ଡାଉନ ୪.୦ର ଅବଧି ମେ’ ୩୧ରେ ଶେଷ ହେଉଛି। ଏହି ଅବଧି ଆଗକୁ ବଢିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଉତ୍ତରାଖଣ୍ଡରେ ଜୁନ୍ ପହିଲାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଚାଲିବ ବୋଲି କୁହାଯାଇଛି। ସେହିଭଳି ସଚିବାଳୟର ସମୟ ସକାଳ ୯ଟା ୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ପ୍ରାୟ ୨ ମାସ ହେବ କରୋନା ସଂକ୍ରମଣକୁ ନେଇ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏକ ପ୍ରକାର ବନ୍ଦ ଥିବା ବେଳେ ମାତ୍ର ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରାଯାଉଥିଲା। ଏବେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଉତ୍ତରାଖଣ୍ଡରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଅତିକ୍ରମ କରି ସାରିଲାଣି।