ଜୁନ୍‌ ପହିଲାରୁ ସମୁଦ୍ରରେ ମାଛଧରା ଅନୁମତି

ଭୁବନେଶ୍ୱର, ୨୮ା୫ (ବ୍ୟୁରୋ)- ଜୁନ୍‌ ପହିଲାରୁ ପୂର୍ବ ଉପକୂଳ ସାମୁଦ୍ରିକ ଜଳସୀମାରେ ମାଛ ଧରିପାରିବେ ମତ୍ସ୍ୟଜୀବୀ। ଏନେଇ ଅନୁମତି ଦେଇଛି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ। ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମତ୍ସ୍ୟ ସମ୍ପଦର ସୁପରିଚାଳନା ସହ ମତ୍ସ୍ୟଜୀବୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଲକ୍‌ଡାଉନ୍‌ ଯୋଗୁ ସମୁଦ୍ରରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନେ ହାତବାନ୍ଧି ବସିଥିଲେ। ସେମାନଙ୍କ ପରିବାର ନାନା ଦୁର୍ଦ୍ଦଶାରେ ରହିଥିବାବେଳେ ଏବେ ପୁଣିଥରେ ଅଣ୍ଟା ସଳଖିବେ ବୋଲି ଆଶା କରାଯାଉଛି।
ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଦ୍ୱାରା ‘ଭାରତୀୟ ତଟବର୍ତ୍ତୀ ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌’ରେ ପ୍ରତିବର୍ଷ ଏପ୍ରିଲ୍‌ ୧୫ରୁ ଜୁନ୍‌ ୧୪ (୬୧ ଦିନ) ମାଛଧରା ନିଷିଦ୍ଧ କରାଯାଉଛି। ମତ୍ସ୍ୟସମ୍ପଦର ସଂରକ୍ଷଣ ଓ ସୁପରିଚାଳନା ତଥା ସାମୁଦ୍ରିକ ନିରାପତ୍ତା ନିମିତ୍ତ ଏହି କଟକଣା କରାଯାଉଛି। ହେଲେ ଚଳିତବର୍ଷ ମତ୍ସ୍ୟଜୀବୀମାନେ କରୋନା ପାଇଁ ଏପ୍ରିଲ୍‌ ୧୫ ପରିବର୍ତ୍ତେ ମାର୍ଚ୍ଚ ୨୪ରୁ ମାଛଧରାରୁ ବଞ୍ଚତ୍ତ ହୋଇ ଘରେ ବସି ରହିଛନ୍ତି। ତେଣୁ କେନ୍ଦ୍ର ସରକାର କଟକଣାକୁ ୬୧ ଦିନ ପରିବର୍ତ୍ତେ ୪୭ ଦିନ ଯାଏ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏବେ ଏହି କଟକଣା ସମୟସୀମା ଏପ୍ରିଲ୍‌ ୧୫ରୁ ମେ ୩୧ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟ ସରକାର ମଧ୍ୟ ଚଳିତବର୍ଷ ଏହି କଟକଣାକୁ କୋହଳ କରିଛନ୍ତି। ଯାହାଫଳରେ ଆସନ୍ତା ଜୁନ୍‌ ପହିଲାରୁ ପୂର୍ବ ଉପକୂଳ ସାମୁଦ୍ରିକ ଜଳସୀମାରେ ମାଛଧରା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Share