ଜୁନ୍‌ ୧୭ରୁ ରାଜ୍ୟରେ ଖୋଲିବ ନାହିଁ ସ୍କୁଲ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ଜୁନ୍‌ ୧୭ ତାରିଖରୁ ସ୍କୁଲ ଖୋଲିବ ନାହିଁ। ଏନେଇ ରବିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଶନିବାର କେନ୍ଦ୍ର ସରକାର ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସ୍କୁଲ ଓ କଲେଜ୍‌ ଖୋଲିବା ନେଇ ନୂଆ ଗାଇଡ୍‌ଲାଇନ୍‌ ଆଣିଥିଲେ। ତଦନୁଯାୟୀ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି। ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କୁ ଆଲୋଚନା ପାଇଁ କୁହାଯାଇଛି। ତେଣୁ ସେହି ଅନୁସାରେ ଜୁନ୍‌ ୧୭ରୁ ସ୍କୁଲ ଖୋଲିବ ନାହିଁ। ପରବର୍ତ୍ତୀ କଥା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ମେ’ ୩୧ରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହେଉଛି। ଏହାକୁ ଦୃଷ୍ଟିରେ ରଖି ଶନିବାର କେନ୍ଦ୍ର ସରକାର ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ଏହା କେବଳ ନିଷିଦ୍ଧାଞ୍ଚଳରେ ବଳବତ୍ତର ରହିବ। ଏହି ଜୋନ ବାହାରେ ସମସ୍ତ ଅର୍ଥନୈତିକ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ ବୋଲି କୁହାଯାଇଛି। ପ୍ରଥମ ପର୍ଯ୍ୟାୟ ଅର୍ଥାତ ଜୁନ୍‌ ୮ରେ ଧାର୍ମିକ ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ ଆଦି ଖୋଲିବାକୁ ଅନୁମତି ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବ। ହେଲେ ସେଥିପାଇଁ ରାଜ୍ୟ ସରକାର ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସ୍ତରରେ ଅଭିଭାବକ ଓ ଅନ୍ୟ ପକ୍ଷମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ ପରାମର୍ଶ ରହିଥିଲା। ତେବେ ସବୁପକ୍ଷଙ୍କ ପରାମର୍ଶକ୍ରମେ ଜୁଲାଇରୁ ଶିକ୍ଷାନୁଷ୍ଠାନ ଖୋଲିବା ଲାଗି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା।

Share