ଜେନେଭା, ୨।୬: ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନ ଜୁନ୍ ୧୭ରେ ହେବ। ଏନେଇ ସୂଚନା ପ୍ରକାଶ ପାଇଛି। ଫ୍ରାନ୍ସ୍ର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ସୂଚନା ପ୍ରକାଶ ପାଇଛି। ପରିଷଦର ୫ ଅସ୍ଥାୟୀ ସଦସ୍ୟତା ପାଇଁ ହେବାକୁ ଥିବା ଏହି ନିର୍ବାଚନରେ ଭାରତ ଏସିଆ ପାସିଫିକ୍ ପକ୍ଷରୁ ପ୍ରାର୍ଥୀ ହୋଇଛି। ବିଜୟୀ ହେଲେ ଭାରତ ୨୦୨୧-୨୨ ଦୁଇବର୍ଷ ଲାଗି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ କାର୍ଯ୍ୟ କରିବ। ସୂଚନାଯୋଗ୍ୟ, ଜାତିସଂଘ ସୁରକ୍ଷା ପରିଷଦରେ ୧୫ ସଦସ୍ୟ ରହିଛନ୍ତି। ସେଥିମଧ୍ୟରେ ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଥିବାବେଳେ ୧୦ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଚାଇନା, ଫ୍ରାନ୍ସ୍, ରୁଷ୍, ବ୍ରିଟେନ୍ ଏବଂ ଆମେରିକା ରହିଛି। ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କର ଭିଟୋ କ୍ଷମତା ରହିଛି। ଅପରପକ୍ଷରେ ୧୦ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଆଞ୍ଚଳିକସ୍ତରରେ ୨ ବର୍ଷ ପାଇଁ ପରିଷଦରେ କାର୍ଯ୍ୟ କରିବା ଲାଗି ନିର୍ବାଚିତ ହୋଇଥାନ୍ତି। ପ୍ରତିମାସରେ ପରିଷଦର ଅଧ୍ୟକ୍ଷ ରାଷ୍ଟ୍ର ପରିବର୍ତ୍ତିତ ହୋଇଥାନ୍ତି। ଏବେ ଅଧ୍ୟକ୍ଷ ପଦରେ ଫ୍ରାନ୍ସ୍ ରହିଛି।