ଜୁନ୍‌ ୩୦ ପର୍ଯ୍ୟନ୍ତ ଭିଡ଼ ଉପରେ ରୋକୋ ଲଗାଇଲେ ଯୋଗୀ

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ରୋକିବା ପାଇଁ ସରକାର ସମସ୍ତ ପ୍ରକାରର ପଦକ୍ଷେପ ଓ କଟକଣା ଗ୍ରହଣ କରୁଛନ୍ତି। ଏହା ସତ୍ତ୍ୱେ ବି ପରିସ୍ଥିତି ଅଣାୟତ ହେବାରେ ଲାଗିଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଉତ୍ତରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୩୦ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପ୍ରକାରର ଭିଡ଼ ଏକ୍ରତ୍ରିତ ନ ହେବା ଉପରେ କଟକଣା ଲଗାଯାଇଛି। ଏନେଇ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ମୁତ୍ୟୁଞ୍ଜୟ କୁମାର ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନା ମୁତାବକ ମେ’ ୩ରେ ରାଜ୍ୟରେ ଲକ୍‌ଡାଉନ ଶେଷ ହେବାକୁ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଲକ୍‌ଡାଉନ ଖୋଲିଲେ ମଧ୍ୟ ଲୋକମାନେ ପରସ୍ପର ମଧ୍ୟରେ ସାମଜିକ ଦୂରତ୍ୱ ବଜାୟ ରଖିବେ। ଏଥିପାଇଁ କୌଣସି ସ୍ଥାନରେ ଯେପରି ଭିଡ଼ ଜମା ନ ହୁଏ ସେଥିପ୍ରତି ଅଧିକାରୀମାନେ ସଜାଗ ରହିବେ। ଏହାଦ୍ୱାରା କରୋନାକୁ ବ୍ୟାପିବାରୁ ରୋକାଯାଇ ପାରିବ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

Share