ଜୁନ୍‌ ୩୦ ଯାଏ ବଢ଼ିଲା ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ପଞ୍ଜୀକରଣ ଅବଧି

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ଯାନବାହନଗୁଡ଼ିକର ଲାଇସେନ୍ସ, ଫିଟ୍‌ନେସ, ପଞ୍ଜୀକରଣ ଓ ଅନ୍ୟାନ୍ୟ କାଗଜପତ୍ରର ଅବଧିକୁ ଆସନ୍ତା ଜୁନ୍‌ ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ଫେବୃୟାରୀ ଶେଷ ସୁଦ୍ଧା ଯେଉଁ ଯାନବାହନଗୁଡ଼ିକର କାଗଜପତ୍ର ଓ ଚାଳକମାନଙ୍କର ଡ୍ରାଇଭିଂ ଲାଇସେନ୍ସ ଅବଧି ସମାପ୍ତ ହୋଇଥିଲା ସେଗୁଡ଼ିକର ଅବଧି ଜୁନ୍‌ ୩୦ ତାରିଖ ଯାଏ ବଳବତ୍ତର ରହିବ। ଏ ନେଇ ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଏହି ସମୟ ମଧ୍ୟରେ ଅବଧି ଶେଷ ହୋଇଥିବା ଗାଡ଼ିର କାଗଜପତ୍ରକୁ ଯାଞ୍ଚ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। କରୋନା(କୋଭିଡ-୧୯) ମହାମାରୀକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କେନ୍ଦ୍ରର ଏହି ପରାମର୍ଶକୁ କାର୍ଯ୍ୟକାରୀ କରାଯିବ ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ସଂଶୋଧିତ ମୋଟରଯାନ ଆଇନ କାର୍ଯ୍ୟକାରୀ ହେବା ପରେ ୨୦୧୯ ସେପ୍ଟେମ୍ବର ପହିଲାରୁ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍‌, ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ଓ ଅନ୍ୟାନ୍ୟ କାଗଜପତ୍ର ନ ଥିଲେ ଗାଡ଼ିଚାଳକଙ୍କୁ ବଡ଼ଧରଣର ଜରିମାନା କରାଯାଇଥିଲା। ଯେପରି ଦୁର୍ଘଟଣା ହାର କମାଇବା ପାଇଁ ଏଭଳି ପଦକ୍ଷେପ କେନ୍ଦ୍ର ସରକାର ନେଇଥିଲେ ରାଜ୍ୟରେ ମଧ୍ୟ ଏହି ସଂଶୋଧିକ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। କାଗଜପତ୍ର ଠିକ୍‌ କରିବା ପାଇଁ ରାଜ୍ୟ ସରକାର ଲୋକମାନଙ୍କୁ ୨ଟି ପର୍ଯ୍ୟାୟରେ ୬ ମାସ ସମୟ ଦେଇଥିଲେ। ଏ ପର୍ଯ୍ୟନ୍ତ ମଧ୍ୟ ଗାଡ଼ିମାଲିକ ଭାବେ ପୂର୍ବ ଯାନବାହନର କାଗଜପତ୍ର ଓ ଲାଇସେନ୍ସ ଯୋଗାଡ଼ କରିପାରିନାହାନ୍ତି। କରୋନା ମହାମାରୀ ସଂକ୍ରମଣ ଆଶଙ୍କାକରି ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଗାଡ଼ିକାଗଜପତ୍ର ନବୀକରଣ କରିବା ନେଇ ସମସ୍ୟା ଦେଖାଦେଇଛି।

Share