ମେଲବୋର୍ନ,୧୭।୫ (ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଅସମୟରେ ବନ୍ଦ କରାଯାଇଥିବା ପ୍ରତିଯୋଗିତାମୂଳକ କ୍ରିକେଟ ପୁଣି ଥରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି। କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱକ୍ରୀଡ଼ା ଠପ୍ ହେବା ପରେ ଆସନ୍ତା ମାସ ୬ ତାରିଖରୁ ଅଷ୍ଟ୍ରେଲିଆରେ କ୍ଲବ କ୍ରିକେଟ ଆରମ୍ଭ ହେବ। ଡାରଓ୍ବିନ୍ ଓ ଡିଷ୍ଟ୍ରିକ୍ଟ କମ୍ପିଟିଶନ ସେସନ ଏକ ଟି୨୦ ଟୁର୍ନାମେଣ୍ଟରୁ ହିଁ ଆରମ୍ଭ ହେବ।
କ୍ରିକେଟରମାନେ ବଲ୍ରେ ଝାଳ କିମ୍ବା ଲାଳ ଲଗାଇପାରିବେ ନାହିଁ କୁହାଯାଇଛି। ତେବେ ବଲର ଚମକ ବଜାୟ ରଖିବାକୁ ବିଭିନ୍ନ ବିକଳ୍ପ ନେଇ ଡାରଓ୍ବିନ୍ କ୍ରିକେଟ ମ୍ୟାନେଜମେଣ୍ଟ (ଡିସିଏମ୍) ଗ୍ରୁପ୍ ବିଚାର କରୁଛି। ଏଥିରେ ଅମ୍ପାୟରମାନେ ଓ୍ବାକ୍ସ ଆପ୍ଲିକେଟର ଲଗାଇବା ନେଇ ମଧ୍ୟ ବିଚାର କରାଯାଉଛି। ଏହି ଟୁର୍ନାମେଣ୍ଟ ଆରମ୍ଭ କରିବା ପ୍ରକ୍ରିୟାରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସବୁ ପ୍ରକାର ନିର୍ଦ୍ଦେଶନାମାକୁ ପାଳନ କରାଯିବ ବୋଲି କୁହାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱର ସବୁ କ୍ରିକେଟ ବୋର୍ଡ ସହ ପୁଣି କ୍ରିକେଟ ଆରମ୍ଭ କରିବା ପାଇଁ ରସ୍ତା ଅନ୍ବେଷଣ ପାଇଁ ଆଲୋଚନା କରୁଛି।