ଜୁଲାଇରୁ ସ୍କୁଲ ଖୋଲିବାକୁ ଯୋଜନା

ନୂଆଦିଲ୍ଲୀ,୨୬ା୫: ଲକ୍‌ଡାଉନ ପରେ ପ୍ରଥମେ ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସ୍କୁଲକୁ ଆସିବେ ନାହିଁ। ୩୦ ପ୍ରତିଶତ ଉପସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା କରି ଶିକ୍ଷାଦାନ କରାଯିବ। ଛୋଟ ପିଲାମାନେ ସୁରକ୍ଷା ନିୟମ ପାଳନ କରି ନ ପାରନ୍ତି। ତେଣୁ ସେମାନଙ୍କୁ ଘରେ ରହି ପାଠ ପଢ଼ିବାକୁ କୁହାଯିବ। ଏନେଇ ଚଳିତ ସପ୍ତାହ ଶେଷ ଭାଗରେ ସରକାର ଗାଇଡ୍‌ଲାଇନ ଆଣିପାରନ୍ତି। ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ସହମତ ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
କରୋନା ସଂକ୍ରମଣ ଯୋଗୁ ମାର୍ଚ୍ଚ ୧୬ରୁ ସାରା ଦେଶରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ଫଳରେ ପିଲାମାନଙ୍କ ଶିକ୍ଷା ଗୁରୁତର ବାଧାପ୍ରାପ୍ତ ହୋଇଛି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ସ୍କୁଲ ଖୋଲିବ। ଯେତେଦୂର ସମ୍ଭବ ଜୁଲାଇରେ ସ୍କୁଲ ଖୋଲିପାରେ। ସାମାଜିକ ଦୂରତ୍ୱ ରକ୍ଷା ଲାଗି ଆବଶ୍ୟକ ହେଲେ ଦୁଇଟି ସିଫ୍ଟରେ ସ୍କୁଲ ଖୋଲିବା କଥା ବିଚାର କରାଯାଉଛି। ସ୍କୁଲରେ ପ୍ରାର୍ଥନା ସଭା କିମ୍ବା କୌଣସି ସମାବେଶକୁ ଅନୁମତି ଦିଆଯିବ ନାହିଁ। ସ୍କୁଲ ଓ କଲେଜ ଲାଗି ନିରାପତ୍ତା ଗାଇଡ୍‌ଲାଇନ ଉପରେ କାର୍ଯ୍ୟ କରାଯାଉଛି।

Share