ଜୁଲାଇରେ ଆଉ ୯ ଖଣି ନିଲାମ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟ ସରକାର ଆହୁରି ୯ଟି କୋଇଲା ଖଣିକୁ ନିଲାମ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ଜୁଲାଇ ସୁଦ୍ଧା ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାରେ ଥିବା ଉକ୍ତ ଖଣିଗୁଡ଼ିକର ନିଲାମ କରାଯିବ। ସୁନ୍ଦରଗଡ଼ ଜିଲାର ଚାନ୍ଦିପୋଷି, ଝୁମକା ପଥିରିପୋଷି, ଠୋଲଟାପାହାଡ, ନେତ୍ରବନ୍ଧ ପାହାଡ ଲୁହାପଥର ଖଣି ଏବଂ ପୁରେଇବାହାଲ ଲୁହାପଥର ଖଣି ଏବଂ କେନ୍ଦୁଝର ଜିଲାର ଉଞ୍ଚାବଳି ଲୁହପଥର ଓ ମାଙ୍ଗାନିଜ, ଗନ୍ଧାଲପଡ଼ା ଲୁହାପଥର, ରେଙ୍ଗଲବେଡ ଉତ୍ତର-ପୂର୍ବ ଲୁହାପଥର ଖଣି ଓ କାଳିମାଟି ମାଙ୍ଗାନିଜ ଖଣିର ନିଲାମ ହେବ। ଖଣିଗୁଡିକର ନିଲାମ ଓ ସେଗୁଡିକୁ କାର୍ଯ୍ୟକ୍ଷମ କରିବା ସକାଶେ ନିଜ ରାଜ୍ୟର ଅତି କମ୍‌ରେ ୫ଟି ନୂତନ ଖଣି ଚିହ୍ନଟ କରିବାକୁ କେନ୍ଦ୍ର ସରକାର ଖଣିଜ ସମ୍ପଦ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂତନ ଗାଇଡ୍‌ଲାଇନ ଅନୁଯାୟୀ ରାଜ୍ୟ ସରକାର ଖଣି ନିଲାମ ସମ୍ବନ୍ଧୀୟ ସମସ୍ତ ପ୍ରକାର ଅନୁମତି, ଅନୁମୋଦନ ଏବଂ ପ୍ରସ୍ତୁତି ପାଇଁ ପ୍ରୋଜେକ୍ଟ ମନିଟରିଂ ୟୁନିଟ (ପିଏମ୍‌ୟୁ) ସ୍ଥାପନ କରିବାକୁ କୁହାଯାଇଛି। ପିଏମ୍‌ୟୁ ଖଣି ନିଲାମ ପ୍ରକ୍ରିୟାଠାରୁ ଆରମ୍ଭକରି ଷ୍ଟେଜ-୧ ପରିବେଶ ଅନୁମୋଦନ ଏବଂ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବ। ଖଣି ଯୋଜନା ୧୫ ଦିନ ମଧ୍ୟରେ ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ (ଆଇବିଏମ୍‌)ଠାରୁ ଅନୁମୋଦନ ଆଣିବାକୁ କୁହାଯାଇଛି।

Share