Categories: ଖେଳ

ଜୁଲାଇରେ ଇଂଲଣ୍ଡ ଗସ୍ତ କରିବାକୁ ପାକିସ୍ତାନ ରାଜି: ଗସ୍ତରେ ସାମିଲ ହେବାକୁ ଖେଳାଳିଙ୍କୁ ବାଧ୍ୟ କରାଯିବ ନାହିଁ

କରାଚି,୧୭।୫(ପି.ଟି.): ଆସନ୍ତା ଜୁଲାଇରେ ପାକିସ୍ତାନ ଟେଷ୍ଟ ଓ ଟି୨୦ ସିରିଜ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବାକୁ ରାଜି ହୋଇଛି। ତେବେ ଏହି ଗସ୍ତରେ ସାମିଲ ହେବାକୁ ଖେଳାଳିମାନଙ୍କୁ ବାଧ୍ୟ କରାଯିବ ନାହିଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସ୍ପଷ୍ଟ କରିଛି। ଏହି ଗସ୍ତରେ ପାକିସ୍ତାନ ୩ ଟେଷ୍ଟ ଓ ୩ ଟି୨୦ ଖେଳିବ ବୋଲି ପିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଓ୍ବାସିମ୍‌ ଖାନ୍‌ କହିଛନ୍ତି। ଶୁକ୍ରବାର ଏହି ଗସ୍ତ ସଂକ୍ରାନ୍ତରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସହ ଭିଡିଓ ଲିଙ୍କ୍‌ ମାଧ୍ୟମରେ ସବିଶେଷ ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି। ରୁଦ୍ଧଦ୍ୱାରରେ ଅର୍ଥାତ୍‌ ଫାଙ୍କା ଷ୍ଟାଡିୟମରେ ପାକିସ୍ତାନ ମ୍ୟାଚ୍‌ ଖେଳିବାକୁ ରାଜି ହୋଇଛି। ପୁଣି ଗ୍ରାଉଣ୍ଡରେ ହୋଟେଲ ରହିବା ନିହାତି ଜରୁରି ବୋଲି ପାକିସ୍ତାନ ସର୍ତ୍ତ ରଖିଛି। ଖେଳାଳିଙ୍କୁ ଇଚ୍ଛା ବିରୋଧରେ କିଛି କରିବାକୁ କୁହାଯାବ ନାହିଁ।
ଯଦି ଜଣେ ଖେଳାଳି ଏହି ଗସ୍ତରେ ଯିବାକୁ ଚାହୁଁନାହିଁ ତା’ହେଲେ ତାଙ୍କୁ ବାଧ୍ୟ କରାଯିବ ନାହିଁ ଓ ତାଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ତେବେ ସବୁ ଖେଳାଳି ଗସ୍ତରେ ସାମିଲ ହେବାକୁ ରାଜି ବୋଲି ଓ୍ବାସିମ କହିଛନ୍ତି। ଜୁଲାଇ ପ୍ରଥମ ସପ୍ତାହରେ ୪ଟି ଚାର୍ଟାଡ ବିମାନରେ ୨୫ ଜଣ ଖେଳାଳି ଇଂଲଣ୍ଡ ଯାତ୍ରା କରିବେ। ଖେଳାଳିମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ମାଞ୍ଚେଷ୍ଟର ଓ ସାଉଥାମ୍ପଟନ ଟେଷ୍ଟ ସିରିଜ ପାଇଁ ଭେନ୍ୟୁ ସ୍ଥିରୀକୃତ ହୋଇଛି। ତୃତୀୟ ଭେନ୍ୟୁ ସମ୍ପର୍କରେ ଖୁବ୍‌ଶୀଘ୍ର ଘୋଷଣା କରାଯିବ ବୋଲି ଓ୍ବାସିମ କହିଛନ୍ତି। ସ୍ବାସ୍ଥ୍ୟଗତ ଦୃଷ୍ଟିକୋଣରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯିବ। ଖେଳାଳିମାନଙ୍କର ନିୟମିତ ମେଡିକାଲ ଚେକ୍‌ଅପ୍‌ କରାଯିବ। ଟେଷ୍ଟ କ୍ୟାପ୍‌ଟେନ ଆଝାର ଅଲୀ ଓ ଦିନିକିଆ ତଥା ଟି୨୦ ଅଧିନାୟକ ବାବର ଆଜମଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯିବ। ଗସ୍ତ ପାଇଁ ସରକାରଙ୍କ ଅନୁମତି ମଧ୍ୟ ଆବଶ୍ୟକ ବୋଲି ଓ୍ବାସିମ କହିଛନ୍ତି। ଚଳିତ ସପ୍ତାହରେ ଖେଳାଳିମାନେ ଟ୍ରେନିଂକୁ ଫେରିବେ ବୋଲି ଇସିବି ଘୋଷଣା କରିଥିଲା। କୋଭିଡ୍‌-୧୯ ମହାମାରୀରେ ଇଂଲଣ୍ଡରେ ଏପର୍ଯ୍ୟନ୍ତ ୨୭,୦୦୦ ମୃତ୍ୟୁବରଣ କରିଛନ୍ତି ଓ ୧,୩୦, ୦୦୦ ସଂକ୍ରମିତ ହୋଇଛନ୍ତି।