Categories: ବାଣିଜ୍ୟ

ଜୁଲାଇରେ ଗାଡ଼ି ବିକ୍ରି ୧୯ବର୍ଷର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୪-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ ବଢ଼ିଚାଲିଛି। ଏହା କେବେ ରୋକିବ କେହି କହିପାରୁନାହାନ୍ତି। ଏହାରି ଭିତରେ ଜୁଲାଇରେ ଗାଡ଼ି ବିକ୍ରି ୧୯ ବର୍ଷର ସର୍ବନିମ୍ନ ସ୍ତର ୧୮.୭୧ ପ୍ରତିଶତକୁ ହ୍ରାସ ପାଇଛି। ଫଳରେ ଗତ ୩ ମାସ ମଧ୍ୟରେ ୧୫ ହଜାର କର୍ମଚାରୀ ନିଯୁକ୍ତି ହରାଇଛନ୍ତି ବୋଲି ଅଟୋ ନିର୍ମାତା ସଂଘ ସିଆମ୍‌ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ସଂଘ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ପାସେଞ୍ଜର ଓ ଦୁଇଚକିଆ ଗାଡ଼ି ସମେତ ସମସ୍ତ ବର୍ଗରେ ଜୁଲାଇରେ ୧୮,୨୫,୧୪୮ ଗାଡ଼ି ବିକ୍ରି ହୋଇଛି। ପୂର୍ବବର୍ଷ ଜୁଲାଇରେ ୨୨,୪୫,୨୨୩ ୟୁନିଟ ଗାଡ଼ି ବିକ୍ରି ହୋଇଥିଲା। ୨୦୦୦ ଡିସେମ୍ବରରେ ଶେଷ ଥର ପାଇଁ ଦେଶର ଅଟୋ ସେକ୍ଟରରେ ମାନ୍ଦାବସ୍ଥାର ପ୍ରଭାବ ପଡିଥିଲା ଏବଂ ସେତେବେଳେ ବିକ୍ରି ସର୍ବାଧିକ ୨୧.୮୧ ପ୍ରତିଶତ ହ୍ରାସ ପାଇଥିଲା। ସେହିପରି ଘରୋଇ ପାସେଞ୍ଜର ଗାଡ଼ି ବିକ୍ରି ୧୯ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଜୁଲାଇରେ ପାସେଞ୍ଜର ଗାଡ଼ି ବିକ୍ରି ୩୦.୯୮ ପ୍ରତିଶତ ହ୍ରାସ ପାଇ ୨,୦୦,୭୯୦ ୟୁନିଟ ହୋଇଛି, ଯାହା କି ପୂର୍ବବର୍ଷ ୨,୯୦,୯୩୧ ଥିଲା। ସେହିଭଳି ଗତମାସରେ ଦୁଇଚକିଆ ଯାନ ବିକ୍ରି ୧୬.୮୨% ହ୍ରାସ ପାଇ ୧୫,୧୧,୬୯୨ ୟୁନିଟ ହୋଇଛି।

Share