ନୂଆଦିଲ୍ଲୀ,୨-୮: ଜିଏସ୍ଟି ଆଦାୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଖୁସି ଆଣିଦେଇଛି। ଜୁଲାଇରେ ଜିଏସ୍ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଯାଇଛି। ଏହି ସମୟରେ ୧.୦୨ ଲକ୍ଷ କୋଟି ଟଙ୍କା ଜିଏସ୍ଟି ଆଦାୟ ହୋଇଛି। ସେଣ୍ଟ୍ରାଲ ଜିଏସ୍ଟି(ସିଜିଏସ୍ଟି) ବାବଦରେ ୧୭,୯୧୨ କୋଟି, ଏସ୍ଜିଏସ୍ଟିରେ ୨୫,୦୦୮ କୋଟି ଟଙ୍କା ଆଦାୟ ହୋଇଛି। ଚଳିତ ଆର୍ଥିକ ବର୍ଷରେ ତୃତୀୟ ଥର ଗୋଟିଏ ମାସରେ ଜିଏସ୍ଟି ଆଦାୟ ଲକ୍ଷେ କୋଟି ଟଙ୍କା ଟପିଛି। ଜୁନ୍ରେ ଏହା ଏକ ଲକ୍ଷ କୋଟି ଟଙ୍କା ତଳକୁ ଆସିଥିଲା। ଏପ୍ରିଲରେ ୧,୧୩,୮୬୫ କୋଟି ଏବଂ ମେ’ରେ ୧,୦୦,୨୮୯ କୋଟି ଟଙ୍କା ଜିଏସ୍ଟି ଆଦାୟ ହୋଇଥିଲା। ଆଲୋଚ୍ୟ ମାସରେ ଜୁଲାଇ ୩୧ ସୁଦ୍ଧା ୭୫.୭୯ ଲକ୍ଷ ଜିଏସ୍ଟିଆର୍-୩ବି ରିଟର୍ନ ଦାଖଲ ହୋଇଛି ବୋଲି ଅର୍ଥ ମନ୍ତଣାଳୟ ସୂତ୍ରରୁ ପ୍ରକାଶ। ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଜିଏସ୍ଟି ଆଦାୟ ହେଲେ ସରକାରଙ୍କ ବିତ୍ତୀୟ ନିଅଣ୍ଟ ବଜେଟ ଲକ୍ଷ୍ୟ ମଧ୍ୟରେ ରହିବା ସହିତ ରାଜ୍ୟଗୁଡ଼ିକୁ ଅଧିକ କ୍ଷତିପୂରଣ ଦେବାକୁ ପଡିବ ନାହିଁ।