Categories: ରାଜ୍ୟ

ଜୁଲାଇ ପହିଲା ଯାଏ ବିଚାର ବିଭାଗୀୟ ହାଜତରେ ରହିବେ ପାଟଣାଗଡ଼ ବିଧାୟକ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ପାଟଣାଗଡ଼ ବିଧାୟକ ସରୋଜ ମେହେର ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଯେ, ନିମ୍ନମାନର ରାସ୍ତା କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କାନ ଧରି ଉଠବସ୍‌ କରିବା ମାମଲାରେ ସେ ଜେଲରେ ଅଛନ୍ତି। ତାଙ୍କ ବିରୋଧରେ ଆଇପିସିର ଧାରା ୩୪୧, ୩୬୩, ୩୫୫, ୫୦୦ ଏବଂ ୩୪ ଲାଗୁ କରାଯାଇଛି। ଏ ନେଇ ବଲାଙ୍ଗୀର ଜିଲା ଏସ୍‌ପି ବୁଧବାର ଜଣାଇଛନ୍ତି। ମେହେରଙ୍କୁ ଗତ ୨୪ ତାରିଖ ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଗିରଫ କରାଯାଇଥିଲା।

ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ପରେ ମେହେରଙ୍କ ବିରୋଧରେ ଯନ୍ତ୍ରୀଙ୍କ ସ୍ତ୍ରୀ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ବିଧାୟକଙ୍କୁ ଗିରଫ କରିବା ଲାଗି ଦାବି କରାଯାଇଥିଲା। ବିଧାୟକ ଏଥିଲାଗି କ୍ଷମାପ୍ରାର୍ଥନା କରିବା ପରେ ମଧ୍ୟ ତାଙ୍କୁ ମୁକ୍ତି ମିଳି ନ ଥିଲା। ଶେଷରେ ମେହେରଙ୍କୁ ଜେଲ ଯିବାକୁ ପଡ଼ିଛି।

Share