ଜୁଲାଇ ଶେଷ ସୁଦ୍ଧା ୫ଲକ୍ଷ ଛୁଇଁପାରେ କରୋନା ସଂକ୍ରମଣ, ଆବଶ୍ୟକ ୮୦ହଜାର ବେଡ୍‌: ସିସୋଡିଆ

ନୂଆଦିଲ୍ଲୀ,୯।୬: ଦିଲ୍ଲୀରେ ବେଲଗାମ୍‌ ହେଉଛି କରୋନା। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଗୋଷ୍ଠୀ ସଂକ୍ରମଣ ଭୟକୁ ନେଇ ମଙ୍ଗଳବାର ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ଅଧ୍ୟକ୍ଷତାରେ ଡିଡିଏମ୍‌ଏରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଓ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସାମିଲ ହୋଇଥିଲେ। ଦିନକୁ ଦିନ ଦିଲ୍ଲୀରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ଅନୁମାନ କରାଯାଉଛି ଯେ, ଜୁଲାଇ ୩୧ ସୁଦ୍ଧା ରାଜ୍ୟରେ ଭୟାନକ ସ୍ଥିତି ହେବା ସହ ସାଢ଼େ ୫ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେବେ। ଆଉ ରୋଗୀଙ୍କ ଚିକିତ୍ସା ପାଇଁ ୮୦ହଜାର ବେଡ୍‌ର ଆବଶ୍ୟକତା ପଡ଼ିପାରେ ବୋଲି ସିସୋଡିଆ ଉକ୍ତ ବୈଠକରେ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ଦିଲ୍ଲୀର ସମସ୍ତ ହସ୍ପିଟାଲକୁ ନେଇ ମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତ୍ତିକୁ ୨୪ଘଣ୍ଟା ହୋଇ ନ ଥିଲେ ମଧ୍ୟ ଉପରାଜ୍ୟପାଳ ଏହାକୁ ଖାରଜ କରିଦେଇଛନ୍ତି। ତେବେ ନିଜ ନିଷ୍ପତ୍ତି ଉପରେ ଉପରାଜ୍ୟପାଳ ଆଉ ଥରେ ବିଚାର କରନ୍ତୁ ବୋଲି ସିସୋଡିଆ କହିଛନ୍ତି। କାରଣ ଅନ୍ୟ ରୋଗୀଙ୍କ ପାଇଁ ହସ୍ପିଟାଲ ଖୋଲାଗଲେ ଏହା ଦିଲ୍ଲୀବାସୀଙ୍କ ପାଇଁ ଏହା ସଙ୍କଟ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି। ଅପରପକ୍ଷେ ପ୍ରାକୃତିକ ବିପର୍ଯ୍ୟୟ ବୈଠକ ପରେ ଉପରାଜ୍ୟପାଳ ଦ୍ୱିପ୍ରହର ୩ଟାରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ କରୋନା ମୁକାବିଲା ପାଇଁ ଆଲୋଚନା ହେବା ସହ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଏହି ବୈଠକରେ ଆମ ଆଦମୀ ପାର୍ଟି (ଏଏପି), ଭାଜପା ଓ କଂଗ୍ରେସର କେତେକ ନେତା ସାମିଲ ହେବେ।

Share