୨୦ରେ ପାଟକୁରା ନିର୍ବାଚନ: ୨୪ରେ ଭୋଟଗଣତି

ଭୁବନେଶ୍ୱର,୪।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନ ଲାଗି ଗୁରୁବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ ତାରିଖରେ ଏହି ଆସନ ଲାଗି ଭୋଟ ଗ୍ରହଣ କରାଯିବ। ସେହିଭଳି ଜୁଲାଇ ୨୪ରେ ଭୋଟଗଣତି, ୨୬ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଧାର୍ଯ୍ୟ ହୋଇଛି। ତାରିଖ ଘୋଷଣା ସହ ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି।
ପ୍ରକାଶଯୋଗ୍ୟ, ଚତୁର୍ଥ ପର୍ଯ୍ୟାୟରେ ପାଟକୁରା ନିର୍ବାଚନମଣ୍ଡଳୀ ନିର୍ବାଚନ ଲାଗି ଦିନଧାର୍ଯ୍ୟ କରାଯାଇଥିଲା। ହେଲେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ ହୋଇଥିଲା। ପରବର୍ତ୍ତୀ ସମୟରେ ମେ ୧୯ରେ ନିର୍ବାଚନ ହୋଇଥାନ୍ତା, ମାତ୍ର ବାତ୍ୟା ‘ଫନୀ’ ପାଇଁ ନିର୍ବାଚନକୁ ପୁଣି ୨ ମାସ ଘୁଞ୍ଚାଇ ଦିଆଯାଇଥିଲା। ତେବେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ସାବିତ୍ରୀ ଅଗ୍ରଓ୍ବାଲ ଏବଂ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି।

Share