ଜୁଲାଇ ୨୧ରେ ସ୍ବତନ୍ତ୍ର ଓଜେଇଇ

ଭୁବନେଶ୍ୱର,୩୦ା୬(ବ୍ୟୁରୋ)- ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ଦ୍ୱିତୀୟ ସ୍ବତନ୍ତ୍ର ଓଜେଇଇ। ଏଥିଲାଗି ରବିବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରୀଛାତ୍ରମାନେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଏହି ଦ୍ୱିତୀୟ ପର୍ଯ୍ୟାୟ ଓଜେଇଇ ପାଇଁ ଆବେଦନ କରିପାରିବେ। ବିଟେକ୍‌ ସହ ବିଟେକ୍‌ ଲାଟେରାଲ୍‌ ଏଣ୍ଟ୍ରି, ଏମ୍‌ବିଏ, ଏମ୍‌ସିଏ ଏବଂ ଏମ୍‌ସିଏ ଲାଟେରାଲ୍‌ ଏଣ୍ଟ୍ରିରେ ନାମଲେଖା ପାଇଁ ଏହି ପରୀକ୍ଷା ହେବ। ଓଜେଇଇ ଭଳି ସମାନ ଢାଞ୍ଚାରେ ସ୍ବତନ୍ତ୍ର ଓଜେଇଇ ହେବ। ପରୀକ୍ଷା ପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ରମାନେ ଜୁଲାଇ ୧୫ରୁ ଆଡମିଟ୍‌ କାର୍ଡ ଓ୍ବେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ। ୨୧ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ ପର୍ଯ୍ୟନ୍ତ ୧ ଘଣ୍ଟା ଧରି ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୨୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଯେଉଁ ଛାତ୍ରୀଛାତ୍ରମାନେ ଓଜେଇଇରେ ର଼୍ୟାଙ୍କ୍‌ ପାଇଛନ୍ତି ସେମାନେ ଏହି ପରୀକ୍ଷା ଦେବା ଆବଶ୍ୟକ ନାହିଁ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

Share