Categories: ବାଣିଜ୍ୟ

ଜୁଲାଇ ୩ରେ ଶ୍ରମିକ ସଙ୍ଗଠନର ଧର୍ମଘଟ ଡାକରା

ନୂଆଦିଲ୍ଲୀ,୬।୬: ଇଣ୍ଡିଆନ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ କଂଗ୍ରେସ(ଆଇଏନ୍‌ଟିୟୁସି) ଏବଂ ସେଣ୍ଟର ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ୍ସ(ସିଆଇଟିୟୁ) ସମେତ ୧୦ ଶ୍ରମିକ ସଙ୍ଗଠନ ଜୁଲାଇ ୩ରେ ଧର୍ମଘଟ ଡାକରା ଦେଇଛନ୍ତି। ଶ୍ରମିକ ସଙ୍ଗଠନଗୁଡିକ ସହ ଏହାର ଅନୁବନ୍ଧିତ ସଙ୍ଗଠନଗୁଡିକ ଧର୍ମଘଟକୁ ଓହ୍ଲାଇବା ସହ ଏହାକୁ ସଫଳ କରାଇବା ଲାଗି କୁହାଯାଇଛି ବୋଲି ଏକ ବିବୃତିରେ ସୂଚନା ରହିଛି। ଏହିଦିନଟିକୁ ସଙ୍ଗଠନଗୁଡିକ ପ୍ରତିବାଦ ଦିବସ ଭାବେ ପାଳନ କରିବେ। ଅନ୍ୟ ସଙ୍ଗଠନଗୁଡିକ ମଧ୍ୟରେ ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ଏଆଇୟୁଟିୟୁସି, ଟିୟୁସିସି, ଏଆଇସିସିଟିୟୁ, ଏସ୍‌ଇଡବ୍ଲ୍ୟୁଏ, ଏଲ୍‌ପିଏଫ୍‌ ଏବଂ ୟୁଟିୟୁସି ରହିଛି। ଶ୍ରମ ଏବଂ ଶ୍ରମିକଙ୍କ ଅଧିକାର, ଛଟେଇ, ନିଯୁକ୍ତି ହ୍ରାସ, ମଜୁରି, ଚାକିରି ନିରାପତ୍ତା ଏବଂ ପ୍ରବାସୀ ଶ୍ରମିକ ଭଳି ୧୨ ଦଫା ଦାବି ସଙ୍ଗଠନଗୁଡିକ ରଖିଛନ୍ତି। ବର୍ତ୍ତମାନ ୧୪ କୋଟି ଚାକିରି ଚାଲିଯାଇଥିବା ବେଳେ ୨୪ କୋଟିଙ୍କ ଜୀବିକା କ୍ଷତିଗ୍ରସ୍ତ ହୋଇଛି। ସରକାର ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଏକ ଧୂଆଁବାଣ ଏବଂ ଅସୁବିଧା ସମୟରେ ପରିହାସ ବୋଲି ସଙ୍ଗଠନ କହିଛନ୍ତି।

Share