ଜୁଲାଇ ୪ରେ ରଥଯାତ୍ରା: ଚାଲିଛି ଦୁଆର ବେଢ଼ା କାମ

ପୁରୀ ଅଫିସ, ୩୦ା୬: ଜୁଲାଇ ୪ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ଚଳଚଞ୍ଚଳ ରଥଖଳା। ଅକ୍ଷୟତୃତୀୟଠାରୁ ଆରମ୍ଭ ହୋଇଥିବା ରଥକାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମହାରଣା, ଭୋଇ, କମାର, ରୂପକାର ଏବଂ ଚିତ୍ରକର ସେବକମାନେ କାମରେ ବ୍ୟସ୍ତ ରହିଛନ୍ତି। ତିନିରଥର ତୃତୀୟ ଭୂଇଁ ଟୁଙ୍ଗୁରା ଯିବାପରେ ପୋଟଳ ଖମ୍ବି, ପୋଟଳ ଓରା ଉପରକୁ ଉଠି ପ୍ରଥମ ପରସ୍ତ ପୋଟଳ ତଥା ବଡଥଳି ପୋଟଳ ଉଠିଛି। ରଥର ତେର ପରସ୍ତ ପୋଟଳ କାମ ସରିଛି। ଅଁଳା ହଣା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦୁଆର ବେଢା, କଳସ ଓ ଖପୁରି କାମ ଚାଲିଛି। ତେର ପରସ୍ତ ପୋଟଳର ୬ ଓ ୭ ନମ୍ବରକୁ ମିଶାଇ ପାରାଭାଡ଼ିି ପ୍ରସ୍ତୁତ କରାଯାଏ। ଦର୍ପଦଳନ ରଥର ପାରା ଭାଡ଼ି ପ୍ରସ୍ତୁତ ଶେଷ ହୋଇ ରଙ୍ଗ ଦିଆ ସରିିଛି। ଅନ୍ୟ ଦୁଇ ରଥର ପାରାଭାଡ଼ି କାମି ଚାଲିଛି। ଚାରି ନାହାକା ଚାରିପଟେ କଇଁଚି ବାଡ଼ିଆ କରାଯାଇଛି। ଏହା ଚାରି ନାହାକାକୁ ଶକ୍ତ ରଖିବ। ରଥରେ ତାଗ ବାଡ଼ିଆ କରାଯାଇଛି। ଗୟଳ ଉପରେ ବରଗା ଗୁଡ଼ିକ ହେଉଛି ତାଗ। ତାଗବାଡିଆ ସରିବା ପରେ ରଥରେ ପଟା ପଡ଼ିବ। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ରଙ୍ଗ କାମ ଚାଲିଛି। ଚିତ୍ରକର ସେବକମାନେ ଶିଖର ଡମ୍ବରୁ, ପାର୍ଶ୍ୱ ଦେବଦେବୀ, ସଖୀ, ଓଲଟ ଶୁଆ, ହଂସପଟା, କନ୍ୟାପଟା, ଋଷିପଟା, ଠେକରାବାଡ, ନାଟଗୋଡ ପ୍ରଭୃତି ରଙ୍ଗ କରୁଛନ୍ତି। ରୂପକାର ସେବକମାନେ ନାଟଗୋଡ଼ ଓ ସିଂହାସନ ନିର୍ମାଣରେ ଲାଗିଛନ୍ତି। ଦେଳବୋଦି କୋଣରେ କମାର ସେବକମାନେ କଣ୍ଟା ନିର୍ମାଣରେ ବ୍ୟସ୍ତ ରହିଛନ୍ତି।

Share