Categories: ଜାତୀୟ

ଜୁଲାଇ ୫ରେ ବଜେଟ୍‌: ୨ ସପ୍ତାହ ପୂର୍ବରୁ ହାଲୁଓ୍ବା ରନ୍ଧା

ନୂଆଦିଲ୍ଲୀ,୨୨।୬: ଜୁଲାଇ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦରେ ବଜେଟ ଆଗତ କରିବେ। ଏହାର ୨ ସପ୍ତାହ ପୂର୍ବରୁ ଶନିବାର ପାରମ୍ପରିକ ହାଲୁଓ୍ବା ରନ୍ଧା ଉତ୍ସବ ଅନୁଷ୍ଠିତ ହେବ। ଏହାପରେ ବଜେଟ୍‌ ସମ୍ପର୍କିତ ଜରୁରୀ କାଗଜପତ୍ର ପ୍ରିଣ୍ଟିଂ ପାଇଁ ପଠାଯିବ। ସେଥିଲାଗି ଏହି ଉତ୍ସବର ଆୟୋଜନ କରାଯାଇଥାଏ। ଏହି ଉତ୍ସବରେ ଅର୍ଥମନ୍ତ୍ରଣାଳୟରେ ଏକ ବଡ଼ କଡ଼େଇରେ ହାଲୁଓ୍ବା ରନ୍ଧା ଯାଇଥାଏ। ଏହାକୁ ବଜେଟ୍‌ ପ୍ରସ୍ତୁତିରେ ନିୟୋଜିତ ଥିବା କର୍ମଚାରୀମାନେ ଅର୍ଥମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ତିଆରି କରିଥାନ୍ତି। ହାଲୁଓ୍ବା ତିଆରି ହେବା ପରେ ଏହାକୁ ପ୍ରାୟ ଶହେ ଜଣ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯାଇଥାଏ। ଭାରତୀୟ ପରମ୍ପରାରେ ଶୁଭକାର୍ଯ୍ୟ ପୂର୍ବରୁ ହାଲୁଓ୍ବା ଅଥବା ମିଠା ଦ୍ରବ୍ୟ ବଣ୍ଟନ କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥାଏ। ବଜେଟ୍‌ କାଗଜପତ୍ର ପ୍ରିଣ୍ଟିଂ ନ ସରିବା ପର୍ଯ୍ୟନ୍ତ ଏହା ସହିତ ସମ୍ପୃକ୍ତ ଥିବା କର୍ମଚାରୀଙ୍କୁ ନଜରବନ୍ଦୀ ଭାବେ ରଖାଯାଇଥାଏ। କୌଣସି ବାହାର ଲୋକଙ୍କ ସହିତ ତାଙ୍କର ସାକ୍ଷାତ୍‌ ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ।

Share