ଜୁଲାଇ ୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ଷଷ୍ଠ ସେମିଷ୍ଟର

ଭୁବନେଶ୍ୱର, ୯।୬(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ଡିଗ୍ରୀ କଲେଜର ଯୁକ୍ତ୩ ଷଷ୍ଠ ସେମିଷ୍ଟର ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୭ରୁ ପରୀକ୍ଷା ଆରମ୍ଭ ହୋଇ ୨୩ରେ ତାରିଖରେ ଶେଷ ହେବ। ପ୍ରାକ୍ଟିକାଲ ପରୀକ୍ଷା ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଥିଓରି ପରୀକ୍ଷା ଜୁଲାଇ ୧୪ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବ। ଜୁଲାଇ ୨୮ ସୁଦ୍ଧା ପ୍ରୋଜେକ୍ଟ ପେପର ଓ ମାର୍କ ବିଶ୍ୱବିଦ୍ୟାଳୟରେ ଦାଖଲ କରିବାକୁ ପଡ଼ିବ। ଏନେଇ ସୋମବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପରୀକ୍ଷା ସମୟରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ପାଳନ ହେବ। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ଶ୍ରେଣୀଗୃହ ଓ ପରୀକ୍ଷାଗାରକୁ ସାନିଟାଇଜ କରାଯିବ। ସେହିପରି ପରୀକ୍ଷାକୁ ଆସିବା ବେଳେ ମାସ୍କ ଲଗାଇବା ସହିତ ସାନିଟାଇଜର ଓ ପାଣି ବୋତଲ ଆଣିବା ପାଇଁ ଛାତ୍ରୀଛାତ୍ରଙ୍କୁ ଜଣାଇ ଦେବା ପାଇଁ କଲେଜଗୁଡ଼ିକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ପରିକ୍ଷାର୍ଥୀ ଓ ପରୀକ୍ଷକଙ୍କ ଶରୀର ତାପମାତ୍ରା ମପାଯିବ। ଏଥିପାଇଁ ଯଦି ଜିଲା ପ୍ରଶାସନ କିମ୍ବା ଅର୍ବାନ ଲୋକାଲ ଅଥରିଟି କିମ୍ବା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ଥର୍ମାଲ ସ୍କାନର ଦିଆଯାଇ ନ ଥାଏ ତେବେ କଲେଜ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share