ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍‌

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଜୁହି ଚାଓ୍ବଲା। ନଭେମ୍ବର ୧୩ରେ ସେ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିଥିବା ଏହି ଅଭିନେତ୍ରୀ ୯୦ ଦଶକରେ ଚୁଲ୍‌ବୁଲି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ। ୧୯୮୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସଲ୍‌ତନତ୍‌’ରୁ ସେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର ଏହି ଫିଲ୍ମ ଫ୍ଲପ୍‌ ହୋଇଥିଲା। ଏହାର ୨ ବର୍ଷ ପରେ ଅର୍ଥାତ୍‌ ୧୯୮୮ରେ ଫିଲ୍ମ ‘କୟାମତ୍‌ ସେ କୟାମତ୍‌ ତକ୍‌’ରେ ଅଭିନୟକରି ରାତାରାତି ସେ ଷ୍ଟାର ପାଲଟିଥିଲେ। ଏଥିରେ ଦମ୍‌ଦାର ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ରୂପେ ପୁରସ୍କୃତ କରାଯାଇଥିଲା। ଏହା ପରେ ଗୋଟିଏ ପରେ ଗୋଟିଏ ସଫଳ ସିନେମାରେ ସେ ଅଭିନୟ କରିଚାଲିଲେ। ସଲମାନଙ୍କ ସହ ସେ ଅନେକ ସିନେମାରେ କାମ କରିଛନ୍ତି। ମାତ୍ର ସେମାନଙ୍କ ପ୍ରେମ ସମ୍ପର୍କ କେବେ ଚର୍ଚ୍ଚାକୁ ଆସିନାହିଁ। ଏକଦା ସଲମାନ୍‌ ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଜୁହିଁଙ୍କ ହାତ ମାଗିବା ପାଇଁ ତାଙ୍କ ବାପାଙ୍କ ନିକଟକୁ ଯାଇଥିଲେ। ମାତ୍ର ସେ ଏଥିପାଇଁ ରାଜି ହୋଇ ନ ଥିଲେ। ଏକ ସାକ୍ଷାତକାରରେ ସଲମାନ୍‌ ଏହା କହିଥିଲେ।
କ୍ୟାରିୟର ଆରମ୍ଭରୁ ଅର୍ଥାତ୍‌ ୧୯୯୨ରେ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ମାଧ୍ୟମରେ ଜୁହିଙ୍କର ସାକ୍ଷାତ ହୁଏ ବ୍ୟବସାୟୀ ଜୟ ମେହତାଙ୍କ ସହ। ସେତେବେଳକୁ ଜୟ ବିବାହିତ ଥିଲେ। ମାତ୍ର ଏକ ଦୁର୍ଘଟଣାରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା। ପରେ ଜୁହି-ଜୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ୧୯୯୫ରେ ସେମାନେ ବିବାହ କରିଥିଲେ। ସେମାନଙ୍କର ୨ଟି ପିଲା ଗୋଟିଏ ଝିଅ ଜାହ୍ନବୀ ଏବଂ ପୁଅ ଅର୍ଜୁନ ଅଛନ୍ତି। ଶେଷ ଥର ପାଇଁ ଜୁହିଙ୍କୁ ‘ଏକ୍‌ ଲଡ୍‌କି କୋ ଦେଖା ତୋ ଏସା ଲଗା’ରେ ଦେଖିବାକୁ ମିଳିଥିଲା।

Share