Categories: ମେଟ୍ରୋ

ଜେଇଇ ଆଡ୍‌ଭାନ୍ସଡ୍‌: ଓଡ଼ିଶାରୁ ପରୀକ୍ଷା ଦେଲେ ୩ ହଜାର ଛାତ୍ରୀଛାତ୍ର-ଆସନ୍ତା ୧୪ରେ ପ୍ରକାଶ ପାଇବ ର଼୍ୟାଙ୍କ୍‌ କାର୍ଡ

ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ଆଇଆଇଟିରେ ନାମଲେଖା ପାଇଁ ସୋମବାର ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଅନୁଷ୍ଠିତ ହୋଇଛି। ଦେଶର ୧ ଲକ୍ଷ ୭୬ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିବାବେଳେ ଓଡ଼ିଶାରୁ ୩୨୬୧ ଜଣ ପରୀକ୍ଷା ଦେଇଛନ୍ତି। ଦୁଇଟି ପେପରରେ ପରୀକ୍ଷା ହୋଇଥିବାବେଳେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପେପର୍‌-୧ ଓ ଅପରାହ୍ନ ୨ଟାରୁ ୪ଟା ଯାଏ ପେପର୍‌-୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଘଣ୍ଟା ଅଧିକ ସମୟ ମିଳିଥିଲା। ଓଡ଼ିଶାରେ ଭୁବନେଶ୍ୱର ସମେତ ବ୍ରହ୍ମପୁର, କଟକ ଓ ରାଉରକେଲାରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ପରୀକ୍ଷା କିଭଳି ଭାବରେ ସୁରୁଖୁରୁରେ ପରିଚାଳିତ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌, ରିଙ୍ଗ୍‌, ବ୍ରେସ୍‌ଲେଟ୍‌, କାନଫୁଲ, ବଡ଼ ବଟମ୍‌ ଥିବା ଡ୍ରେସ୍‌ ପିନ୍ଧିବା ଉପରେ କଟକଣା ଜାରି ହୋଇଥିଲା। ତେବେ ଜୁନ୍‌ ୧୪ରେ ଅନ୍‌ଲାଇନ୍‌ରେ ର଼୍ୟାଙ୍କ୍‌ କାର୍ଡ ପ୍ରକାଶ ପାଇବ। କିନ୍ତୁ କୌଣସି ପରୀକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ର଼୍ୟାଙ୍କ୍‌ ପଠାଯିବ ନାହିଁ ବୋଲି କୁହାଯାଇଛି।

Share