ଜେଇଇ, ଏନ୍‌ଇଇଟି ପାଇଁ ତାରିଖ ଘୋଷଣା: ହେବନି ସିବିଏସ୍‌ଇ ୧୦ମ ପରୀକ୍ଷା

ଭୁବନେଶ୍ୱର,୬ା୫(ବ୍ୟୁରୋ): ଦେଶରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇଇ ମେନ୍‌ ଓ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି ୟୁଜି ୨୦୨୦) ନେଇ ମଙ୍ଗଳବାର ତାରିଖ ଘୋଷଣା କରାଯାଇଛି। ଗତ ଏପ୍ରିଲ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ଆସନ୍ତା ଜୁଲାଇ ୧୮ ରୁ ୨୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ସେହିଭଳି ମେ’ ୩ରେ ହେବାକୁ ଥିବା ଏନ୍‌ଇଇଟି ପରୀକ୍ଷା ଜୁଲାଇ ୨୬ରେ ହେବ। ଏହାବ୍ୟତୀତ ଜେଇଇ ଆଡ୍‌ଭାନ୍ସ ପରୀକ୍ଷା ଅଗଷ୍ଟ ମାସରେ ଅନୁଷ୍ଠିତ ହେବ। ତେବେ ଜେଇଇ ଆଡ୍‌ଭାନ୍ସ ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇ ନ ଥିବା ବେଳେ ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଜେଇଇ ମେନ୍‌ ଓ ଏନ୍‌ଇଇଟି ୟୁଜି ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ଛାତ୍ରୀଛାତ୍ରଙ୍କ ଆଡମିଟ୍‌ କାର୍ଡ ଖୁବ୍‌ଶୀଘ୍ର ପ୍ରକାଶ ପାଇବ। ଆଡମିଟ୍‌ କାର୍ଡରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର, ସହର ଏବଂ ସେସନ୍‌ ବିଷୟରେ ସମସ୍ତ ସୂଚନା ପାଇପାରିବେ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ଆଡମିଟ୍‌ କାର୍ଡ ଜାରି କରାଯିବ। nta.ac.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ରମାନେ ଜେଇଇ ମେନ୍‌ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ। ତେବେ ଚଳିତବର୍ଷ ସମଗ୍ର ଦେଶରେ ଏନ୍‌ଇଇଟି ଲାଗି ୧୫.୯୩ ଲକ୍ଷ ଛାତ୍ରୀଛାତ୍ର ଓ ଜେଇଇ ମେନ୍‌ ପାଇଁ ୯ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଞ୍ଜୀକରଣ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର ସିବିଏସଇ ୧୦ମ ଓ ଯୁକ୍ତ ୨ ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବ ବୋଲି ମଙ୍ଗଳବାର ସକାଳେ କେନ୍ଦ୍ରମନ୍ତ୍ରୀ ପୋଖରିୟାଲ ସୂଚନା ଦେଇଥିବାବେଳେ ସନ୍ଧ୍ୟାରେ ଟୁଇଟ୍‌ କରି ସେଥିରେ ପରିବର୍ତ୍ତନ କରିଛନ୍ତି। କେବଳ ଉତ୍ତର-ପୂର୍ବ ଦିଲ୍ଲୀକୁ ଛାଡ଼ି ଦେଶର କୌଣସି ସ୍ଥାନରେ ସିବିଏସ୍‌ଇ ୧୦ମ ପରୀକ୍ଷା ଅନୁଷ୍ଠିତ ହେବନାହିଁ ବୋଲି ସେ ସୂଚନା ଦେଇଛନ୍ତି।

Share