ଜେଇଇ ମେନ୍‌ରେ ଆସିବ ଓଡ଼ିଆ ପ୍ରଶ୍ନପତ୍ର

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଏଣିକି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍‌’ରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଆସିବ। ଓଡ଼ିଆ ସମେତ ମୋଟ ୧୧ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ୨୦୨୧ରୁ ଏହା ଲାଗୁ ହେବ। ବର୍ତ୍ତମାନ ଇଂଲିଶ, ହିନ୍ଦୀ ଓ ଏକମାତ୍ର ଆଞ୍ଚଳିକ ଭାଷା ଭାବେ ଗୁଜରାଟୀରେ ପ୍ରଶ୍ନପତ୍ର ଆସୁଛି। ଅନେକ ରାଜ୍ୟ ନିଜର ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ବାରମ୍ବାର ଦାବି କରୁଥିଲେ। ତାହାକୁ ବିଚାରକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛି। ୨୦୨୧ରୁ ଇଂଲିଶ, ହିନ୍ଦୀ ସମେତ ୯ ଆଞ୍ଚଳିକ ଭାଷା ଓଡ଼ିଆ, ଅହମିୟା, ବଙ୍ଗଳା, ଗୁଜରାଟୀ, କନ୍ନଡ଼, ମରାଠୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ପ୍ରଶ୍ନପତ୍ର ଆସିବ। ମୋଟ ୧୧ ଭାଷାରେ ପ୍ରଶ୍ନପତ୍ର କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ(ଏନ୍‌ଟିଏ)କୁ ନିର୍ଦ୍ଦେଶ ଦିଆଯାଇଛି। ଜେଇଇ ମେନ୍‌-୨୦୨୦ରୁ ଏହା ଲାଗୁ କରିବାକୁ ଯୋଜନା ହୋଇଥିଲା। ହେଲେ ପରୀକ୍ଷାର ତାରିଖ ଧାର୍ଯ୍ୟ ହୋଇସାରିଥିବାରୁ ୨୦୨୧ ଜାନୁୟାରୀରେ ହେବାକୁ ଥିବା ପରୀକ୍ଷାରୁ ଏହାକୁ ଲାଗୁ କରଯିବ। ସୂଚନାଯୋଗ୍ୟ, ଜେଇଇ ମେନ୍‌ ମାଧ୍ୟମରେ ଛାତ୍ରୀଛାତ୍ର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମ ସମେତ ଆର୍କିଟେକଚର୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଚୟନ ହୋଇଥାନ୍ତି। ବିଶେଷକରି ଆଇଆଇଟି, ଏନ୍‌ଆଇଟି, ଆଇଆଇଆଇଟି, ସରକାରୀ ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା ହେଉଛି।

Share