Categories: ଜାତୀୟ

ଜେଏନ୍‌ୟୁ ଛାତ୍ରଙ୍କ ଉପରେ ପୋଲିସର ଲାଠିଚାଳନା

ନୂଆଦିଲ୍ଲୀ,୧୦ା୧: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ରୀଛାତ୍ର, ଶିକ୍ଷକ ଓ ସାମାଜିକ କର୍ମୀମାନେ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଥିବାବେଳେ ସେମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲାଠିଚାଳନା କରିଛି। ଅନେକଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ଲାଠିମାଡ଼ରେ କେତେଜଣ ଛାତ୍ର ଆହତ ହୋଇଥିବାବେଳେ ବିକ୍ଷୋଭକାରୀମାନଙ୍କୁ ତିନୋଟି ବସ୍‌ରେ ଭର୍ତ୍ତି କରି ପୋଲିସ ସେମାନଙ୍କୁ ଥାନାକୁ ନେଇଯାଇଥିଲା। ବରିଷ୍ଠ ନେତା ସୀତାରାମ ୟେଚୁରୀ, ଡି. ରାଜା, ପ୍ରକାଶ କରାଟ, ବୃନ୍ଦା କରାଟ, ଶରଦ ଯାଦବ ପ୍ରମୁଖ ସାମିଲ ହୋଇ ମଣ୍ଡି ହାଉସ୍‌ଠାରୁ ବିକ୍ଷୋଭ ଶୋଭାଯାତ୍ରା ବାହାର କରିଥିଲେ। ସେମାନେ ମାନବ ସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରଣାଳୟ ଯାଇ ରବିବାର ଜେଏନ୍‌ୟୁ ପରିସରରେ ଆକ୍ରମଣ ଘଟଣା ପ୍ରତିବାଦରେ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ। ଏଥିସହିତ ସେମାନେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଇସ୍ତଫା ଦାବି କରିଥିଲେ। କୁଳପତି ଏମ୍‌. ଜଗଦେଶ କୁମାରଙ୍କ ସହ ଆଲୋଚନା କରିବେ ବୋଲି ଏଚ୍‌ଆର୍‌ଡି ସଚିବ କହିଥିଲେ। ଏଚ୍‌ଆର୍‌ଡି ଅଧିକାରୀମାନଙ୍କୁ ଭେଟିବା ପରେ ଛାତ୍ରସଂଘ ସଭାନେତ୍ରୀ ଐଶ ଘୋଷଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ଲାଗି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ପୋଲିସ ଅନୁମତି ଦେଇ ନ ଥିଲା।
ହିଂସା ଘଟଣାର ତଦନ୍ତ ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ୫ ଜଣିଆ କମିଟି ଗଠନ କରାଯାଇଥିବା କୁଳପତି କହିଛନ୍ତି। କ୍ୟାମ୍ପସ୍‌ରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ସହ ହିଂସା ଘଟଣାର ତଦନ୍ତ କରାଯିବ । ଦୁର୍ବୃତ୍ତଙ୍କ ଆତଙ୍କରାଜ ଓ ହିଂସାକାଣ୍ଡରେ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଆଇସି ଘୋଷଙ୍କ ସମେତ ୩୫ ଛାତ୍ରୀଛାତ୍ର ଆହତ ହୋଇଥିଲେ।

Share