Categories: ଜାତୀୟ

ଜେଏନ୍‌ୟୁ ଛାତ୍ରସଂଘର ଅଧ୍ୟକ୍ଷାଙ୍କ ନାଁରେ ଏତଲା

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ରସଂଘର ଅଧ୍ୟକ୍ଷା ଐଶ ଘୋଷ ଓ ୧୯ ଛାତ୍ରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ରୁଜୁ କରିଛି। ଜାନୁୟାରୀ ୪ରେ ସର୍ଭର ରୁମ୍‌ରେ ଭଙ୍ଗାରୁଜା ଓ ସୁରକ୍ଷାକର୍ମୀଙ୍କ ଉପରେ ଉକ୍ତ ଛାତ୍ରମାନେ ଆକ୍ରମଣ କରିଥିବା ଅଭିଯୋଗରେ ଏହି ଏତଲା ରୁଜୁ କରାଯାଇଛି। ଏହି ଏତଲା ଜେଏନ୍‌ୟୁ ପ୍ରଶାସନ ଜାନୁୟାରୀ ୫ରେ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜେଏନ୍‌ୟୁରେ ହଷ୍ଟେଲ ଫି’ ବୃଦ୍ଧି ବିରୋଧରେ ଛାତ୍ରମାନେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ସେହି ସମୟରେ ସୁରକ୍ଷାକର୍ମୀ ଓ ପ୍ରଦର୍ଶନକାରୀ ମୁହାଁମୁହିଁ ହୋଇଥିଲେ। ଏହାପରେ ଉତ୍ତ୍ୟକ୍ତ ଛାତ୍ରମାନେ ବିଶ୍ୱବିଦ୍ୟାଳୟର ସର୍ଭରକୁ ବନ୍ଦ କରିଦେଇଥିଲେ। ସର୍ଭର ବନ୍ଦ ହୋଇଯିବା ଯୋଗୁ ବିଶ୍ୱବିଦ୍ୟାଳୟର ସମସ୍ତ କାର୍ଯ୍ୟ ବନ୍ଦ ହୋଇଯିବା ସହ ଓ୍ବିଣ୍ଟର ସେମିଷ୍ଟାରର ରେଜିଷ୍ଟ୍ରେଶନ୍‌ ମଧ୍ୟ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ଉକ୍ତ ଛାତ୍ରଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୁହାଯାଇଥିଲା।

Share