ଜେଏନ୍‌ୟୁ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ବଲିଉଡ୍‌ ସେଲିବ୍ରିଟି

ନୂଆଦିଲ୍ଲୀ,୬।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ରବିବାର ରାତିରେ ଦୁଇ ଛାତ୍ରଗୋଷ୍ଠି ମଧ୍ୟରେ ବିବାଦ ଦେଖାଦେଇଛି। ରାତି ଅନ୍ଧକାରରେ କିଛି ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି କ୍ୟାମ୍ପସ୍‌ ଭିତରକୁ ପଶି ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜେଏନ୍‌ୟୁ ଛାତ୍ର ସଂଘର ଅଧ୍ୟକ୍ଷ ଆହତ ହୋଇଥିବା ବେଳେ କେତେକ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି। ଏହି ହିଂସାକୁ ନେଇ ବଲିଉଡ୍‌ ସେଲିବ୍ରିଟିମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅଭିନେତ୍ରୀ ସ୍ବରା ଭାସ୍କର ଏହି ଆକ୍ରମଣକୁ ନେଇ ଚିନ୍ତାପ୍ରକଟ କରି ଏକ ଭିଡିଓ ଶେୟାର କରିଛନ୍ତି। ସବୁ ଦିଲ୍ଲୀବାସୀ ବାବା ଗଙ୍ଗନାଥ ମାର୍ଗରେ ଏକତ୍ରିତ ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଏକତ୍ରିତ ହେବା ଫଳରେ ଏହା ପୋଲିସ ଓ ସରକାରଙ୍କ ଉପରେ ଚାପପକାଇବ ଏବଂ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ସ୍ବରା ଭିଡିଓରେ କହିଛନ୍ତି। ଉକ୍ତ ଭିଡିଓଟି ଶେୟାର କରିବା ସମୟରେ ସ୍ବରା ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଛି।

ସେହିପରି ଅଭିନେତ୍ରୀ ତାପସୀ ପାନ୍ନୁ ମଧ୍ୟ ଏହି ଘଟଣାକୁ ନେଇ ଟୁଇଟ କରିଛନ୍ତି। ସେ କହିଛନ୍ତି, ଯେଉଁଠାରେ ପିଲାଙ୍କ ଭବିଷ୍ୟତ ଗଢ଼ାଯାଉଛି ସେଠାରେ ଏଭଳି ହିଂସା ଲଜ୍ଜାଜନକ। ଏହି ହିଂସା ସମସ୍ତଙ୍କୁ ଗଭୀର ଆଘାତ ପହଞ୍ଚାଇଥିବା ବେଳେ ଏହା କେବେ ବି ଠିକ୍‌ ନ ହୋଇପାରିବା ଭଳି ଏକ କ୍ଷତି। ଏହା ଅତ୍ୟନ୍ତ ଦୁଃଖଦାୟକ। ସୂଚନାଯୋଗ୍ୟ, ସ୍ବରା ଓ ତାପସୀ ଜେଏନ୍‌ୟୁର ପୂର୍ବତନ ଛାତ୍ରୀ।

Share