Categories: ଜାତୀୟ

ଜେଏନ୍‌ୟୁ ହିଂସାର ମାଷ୍ଟର ମାଇଣ୍ଡ କୁଳପତି: ବହିଷ୍କାର ଦାବିକଲା କଂଗ୍ରେସ

ଜମ୍ମୁ,୧୩ା୧(ପି.ଟି.): ଜେଏନ୍‌ୟୁ ହିଂସାକାଣ୍ଡ ମାମଲାରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସିଧାସଳଖ କୁଳପତି ଏମ୍‌ ଜଗଦେଶ କୁମାରଙ୍କୁ ଦୋଷ ଦେଇଛି। ସେ ହିଁ ଏହିସବୁ ଘଟଣାର ମାଷ୍ଟରମାଇଣ୍ଡ ଓ ତୁରନ୍ତ ବିଦା କରାଯାଇ ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଆରମ୍ଭ କରାଯିବା ଜରୁରୀ ବୋଲି କୁହାଯାଇଛି। ଜାନୁୟାରୀ ୫ରେ ମୁହଁରେ କନା ବାନ୍ଧି ଆକ୍ରମଣ କରାଯିବା ଘଟଣା ପ୍ରାୟୋଜିତ ବୋଲି ଟିମ୍‌ ସଦସ୍ୟ ସୁସ୍ମିତା ଦେବ ପ୍ରକାଶ କରିଛନ୍ତି। କୁଳପତିଙ୍କୁ ବିଦାକରି ସ୍ବାଧୀନ ଭାବେ ତଦନ୍ତ କରାଯିବା ଉଚିତ ବୋଲି ସେ ଦାବି କରିଛନ୍ତି। ଜେଏନ୍‌ୟୁ ହିଂସାକାଣ୍ଡର ତଦନ୍ତ ଲାଗି କଂଗ୍ରେସ ୪ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରିଥିଲା। ସୁରକ୍ଷା ଯୋଗାଉଥିବା କମ୍ପାନୀର ଚୁକ୍ତି ରଦ୍ଦ କରିବା ସହ ଷଡ଼ଯନ୍ତ୍ର ପଛରେ ଥିବା ଅନ୍ୟ ଫାକଲ୍ଟି ସଦସ୍ୟଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ମହିଳା କଂଗ୍ରେସ ମୁଖ୍ୟ ଦାବି କରିଛନ୍ତି। ଦକ୍ଷିଣପନ୍ଥୀ ଚିନ୍ତାଧାରାସମ୍ପନ୍ନ ଲୋକଙ୍କୁ ଫାକୁଲ୍ଟି ସଦସ୍ୟଭାବେ ନିଯୁକ୍ତି ଦେଇ କୁଳପତି ସେମାନଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି।

Share