ଜେଏନ୍‌ୟୁ ହିଂସା ମାମଲାରେ ପୋଲିସକୁ ସମନ ଜାରି କଲେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୬।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ରବିବାର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଛାତ୍ରୀଛାତ୍ରଙ୍କୁ ମାରପିଟ କରିବା ସହ ବ୍ୟାପକ ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାରେ ଜେଏନ୍‌ୟୁ ଛାତ୍ରସଂଘର ଅଧ୍ୟକ୍ଷ ଲହୁଲୁହାଣ ହୋଇଥିବା ବେଳେ କେତେଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସୋମବାର ଛାତ୍ରୀମାନଙ୍କୁ ଆକ୍ରମଣ ଘଟଣାରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ପୋଲିସକୁ ସମନ ଜାରି କରିଛନ୍ତି। ସେ କହିଛନ୍ତି, ଯେଉଁଭଳି ଭାବେ କ୍ୟାମ୍ପସ୍‌ ଭିତରକୁ ଦୁର୍ବୃତ୍ତମାନେ ମୁହଁରେ କପଡ଼ା ବାନ୍ଧି ଲୁହାଛଡ଼ରେ ଛାତ୍ରୀଛାତ୍ରଙ୍କୁ ଆକ୍ରମଣ କରିଛନ୍ତି ତାହା ଲଜ୍ଜାଜନକ। ଦୁର୍ବୃତ୍ତମାନେ କିଭଳି କ୍ୟାମ୍ପସ୍‌ ଭିତରକୁ ପ୍ରବେଶ କଲେ ଏବଂ କେତେଜଣଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟ, ସିସିଟିଭି ଫୁଟେଜ୍‌ର ଏକ କପି ଓ ଉକ୍ତ ମାମଲାକୁ ନେଇ ଦାଖଲ ହୋଇଥିବା ସମସ୍ତ ଏତଲାର କପି ଦେବା ପାଇଁ ସେ ଦିଲ୍ଲୀ ପୋଲିସକୁ କହିଛନ୍ତି।

Share