ଜେଏସ୍‌ଡବ୍ଲ୍ୟୁକୁ ମିଳିଲା ଜଜାଙ୍ଗ ଖଣି

ଭୁବନେଶ୍ୱର,୭।୨(ବ୍ୟୁରୋ): ସଜ୍ଜନ ଜିନ୍ଦଲ ପରିଚାଳିତ ଜେଏସଡବ୍ଲ୍ୟୁ ଷ୍ଟିଲ କେନ୍ଦୁଝର ଜିଲାରେ ଥିବା ଜଜାଙ୍ଗ ଲୁହାପଥର ଖଣି ହାତେଇବାରେ ସଫଳ ହୋଇଛି। ଏହି ଖଣି ପାଇଁ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ରାଜ୍ୟ ସରକାରଙ୍କୁ ଲୁହାପଥର ବିକ୍ରି ମୂଲ୍ୟର ୧୧୦ ପ୍ରତିଶତ ଦେବାକୁ ଚୁକ୍ତି କରିଛି। ଏହାକୁ ମିଶାଇ ଚଳିତ ନିଲାମ ପ୍ରକ୍ରିୟାରେ ଜେଏସ୍‌ଡବ୍ଲ୍ୟୁ ୪ଟି ଖଣିକୁ ହାତେଇ ସାରିଲାଣି।
ମିଳିଥିବା ସୂଚନା ଅନୁଯାୟୀ ଜେଏସଡବ୍ଲ୍ୟୁ ସର୍ବାଧିକ ନିଲାମଧାରୀ ଭାବେ ଓଡିଶାରୁ ୩୯.୪୨ ନିୟୁତ ଟନ ଖଣିକୁ ନେବାରେ ସଫଳ ହୋଇଛି। ଚଳିତ ନିଲାମ ପ୍ରକ୍ରିୟାରେ ଉକ୍ତ କମ୍ପାନୀ ସିରାଜୁଦ୍ଦିନ ଆଣ୍ଡ କୋ, ଲାଲ ଟ୍ରେଡର୍ସ, ରୁଙ୍ଗ୍‌ଟା ମାଇନ୍ସ, ଇଷ୍ଟର୍ନ ମାଇନିଂ, ଜେଏସ୍‌ପିଏଲ ଏବଂ ଆଦାନୀ ଭଳି କମ୍ପାନୀକୁ ପଛରେ ପକାଇ ଦେଇଛି। ଜେଏସ୍‌ଡବ୍ଲ୍ୟୁ ନିଲାମ ନେଇଥିବା ଜଜାଙ୍ଗ ଲୁହାପଥର ଖଣି ଏବେ ରୁଙ୍ଗ୍‌ଟା ମାଇନ୍ସ ହାତରେ ରହିଛି। ଏହାର ଲିଜ୍‌ ଅବଧି ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବ।
ସୂଚନାଯୋଗ୍ୟ ଯେ ଜେଏସଡବ୍ଲ୍ୟୁ ସୁନ୍ଦରଗଡ ଜିଲାର ଗନୁଆ ଲୁହାପଥର ଖଣି ହାତେଇଛି। କମ୍ପାନୀ ଏହି ଖଣିରୁ ରାଜ୍ୟ ସରକାରଙ୍କୁ ଲୁହାପଥରର ବିକ୍ରି ମୂଲ୍ୟର ୧୩୨ ପ୍ରତିଶତ ଦେବାକୁ ଚୁକ୍ତି କରିଛି। ଏହି ଖଣିର ଲିଜ୍‌ ଅବଧି ମଧ୍ୟ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବାକୁ ଯାଉଛି। ଏହି ଖଣିରେ ୧୧୮.୯୨ ନିୟୁତ ଟନ ଲୁହାପଥର ଗଚ୍ଛିତ ଥିବା ଆକଳନ କରାଯାଇଛି। ନିଲାମ ପ୍ରତିଯୋଗିତାରେ ଜେଜେଏସ୍‌ ଆଲୁଓ୍ବାଲିଆ, ରୁଙ୍ଗଟା ମାଇନ୍ସ ଲିମିଟେଡ, ଶ୍ୟାମ ଷ୍ଟିଲ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଏବଂ ଆମଲାଗାମ୍‌ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡକୁ ହରାଇ ଜେଏସ୍‌ଡବ୍ଲ୍ୟୁ ଉକ୍ତ ଖଣି ଅକ୍ତିଆର କରିବାରେ ସଫଳ ହୋଇଛି। ଏହାଛଡା ପୂର୍ବରୁ ଆର୍ସେଲ ମିଟ୍ଟଲ, ବେଦାନ୍ତ, ଆଦାନୀ ଗ୍ରୁପକୁ ପଛରେ ପକାଇ କମ୍ପାନୀ ୭୯୦ ନିୟୁତ ଟନର ନୂଆଗାଁ ଏବଂ ୧୯୦ ନିୟୁତ ଟନର ନାରାୟଣପୋଷି ଖଣି ନେବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ସିରାଜୁଦ୍ଦିନ ଆଣ୍ଡ କୋ ବଳଦା ଲୁହାପଥର ଖଣି ପାଇଥିବା ବେଳେ ଆର୍ସେଲର ମିଟ୍ଟଲ ଠାକୁରାଣୀ ଖଣି ପାଇବାରେ ସଫଳ ହୋଇଛି।

Share