ଜେଏସ୍‌ପିଏଲ ପାଳିଲା ଇଞ୍ଜିନିୟର୍ସ ଦିବସ

ଅନୁଗୋଳ ଅଫିସ, ୧୬।୯: ଅନୁଗୋଳ ଜେଏସ୍‌ପିଏଲ ପରିସରରେ ରବିବାର ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି। ଭାରତ ରତ୍ନ ତଥା ପ୍ରଖ୍ୟାତ ଇଞ୍ଜିନିୟର ଡଃ. ଏମ୍‌. ବିଶ୍ୱେସ୍ବରାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଦିବସ ପାଳନ କରାଯାଇଛି। ଜେଏସ୍‌ପିଏଲର ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ, ନିର୍ବାହୀ ନିର୍ଦ୍ଦେଶକ-ମେଣ୍ଟେନାନ୍ସ ସୁରେଶ କୁମାର, ଇସ୍ପାତ ନିର୍ମାଣ ମୁଖ୍ୟ ଦାମୋଦର ମିତ୍ତଲ ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟଙ୍କ ସମେତ ବହୁ ସଂଖ୍ୟାରେ କର୍ମଚାରୀ ଯୋଗଦେଇ ବିଶ୍ୱେସ୍ବରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ମହାନ ବ୍ୟକ୍ତି ରାଷ୍ଟ୍ରର ଜଳ ସମ୍ପଦର ସୁବିନିଯୋଗ ପାଇଁ କରିଯାଇଥିବା ଡ୍ୟାମ ଯୋଗୁ କୃଷିର ଉନ୍ନତି ସହ ବନ୍ୟା ନିୟନ୍ତ୍ରଣ କରାଯାଇପାରୁଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଜେଏସ୍‌ପିଏଲ ଅନୁଗୋଳର ଇଞ୍ଜିନିୟରମାନେ ଅଂଶଗ୍ରହଣ କରିଥିଲେ। ଜେଏସ୍‌ପିଏଲର ଅନ୍ୟତମ ବରିଷ୍ଠ ଅଧିକାରୀ ଦାମୋଦର ମିତ୍ତଲ ନିଜର ବ୍ୟକ୍ତିଗତ ଅନୁଭୂତି ତଥା ଇଞ୍ଜିନିୟର୍ସ ଦିବସର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଉପଲକ୍ଷେ ଜେଏସ୍‌ପିଏଲର ୨୦୧୮-୧୯ ବର୍ଷର ‘ଏକଜିକ୍ୟୁଟିଭ ଅଫ୍‌ ଦି ଇୟର’ ଓ ଆନ୍ତରିକ ପ୍ରଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜେଏସ୍‌ପିଏଲ ମାନବ ସମ୍ବଳ ବିଭାଗ ମୁଖ୍ୟ ଆଲୋକ ମାଲହୋତ୍ରାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।