ଜେଜିଏଲ୍‌ଏସ୍‌କୁ ନମ୍ବର ୧ ଲ’ ସ୍କୁଲ ମାନ୍ୟତା

ଭୁବନେଶ୍ୱର, ୫ା୩: ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର ଜିନ୍ଦଲ ଗ୍ଲୋବାଲ ଲ’ ସ୍କୁଲ(ଜେଜିଏଲ୍‌ଏସ୍‌)କୁ ଦେଶର ନମ୍ବର ୧ ଲ’ ସ୍କୁଲ ମାନ୍ୟତା ମିଳିଛି। ଆଇନ କ୍ଷେତ୍ରରେ କ୍ୟୁଏସ୍‌ ଓ୍ବାର୍ଲଡ ୟୁନିଭର୍ସିଟି ସବଜେକ୍ଟ ର଼୍ୟାଙ୍କିଙ୍ଗରେ ସ୍ଥାନିତ ହେବା ସହ ଭାରତକୁ ଗୌରବାନ୍ବିତ କରିଛି। ଏକ ଦଶନ୍ଧି ମଧ୍ୟରେ ଏଭଳି ବିଶ୍ୱସ୍ତରୀୟ ମାନ୍ୟତା ହାସଲ କରିବାକୁ ଜେଜିଏଲ୍‌ଏସ୍‌ ସକ୍ଷମ ହୋଇଥିବା ସୂଚନା ରହିଛି। ବିଶ୍ୱର ପ୍ରମୁଖ ଲ’ ସ୍କୁଲ ବର୍ଗରେ ଏହା ୧୦୦ରୁ ୧୫୦ ସ୍ଥାନ ମଧ୍ୟରେ ରହିଛି। ସେହିଭଳି ବାଙ୍ଗାଲୋରଭିତ୍ତିକ ନ୍ୟାଶନାଲ ଲ’ ସ୍କୁଲ ଅଫ ଇଣ୍ଡିଆ ୟୁନିଭର୍ସିଟି(ଏନ୍‌ଏଲ୍‌ଏସ୍‌ଆଇୟୁ) ଏହି ତାଲିକାରେ ୧୫୧ରୁ ୨୦୦ ମଧ୍ୟରେ ରହିଛି। ତାଲିକାରେ ବିଶ୍ୱର ୩୦୦ ଲ ସ୍କୁଲ ସାମିଲ କରାଯାଇଥିବା ବେଳେ ଭାରତର ୨ ଅନୁଷ୍ଠାନ ରହିଛନ୍ତି। ଜେଜିଏଲ୍‌ଏସ୍‌କୁ ଭାରତର ନମ୍ବର ୧ ମାନ୍ୟତା ପ୍ରଦାନ କରାଯାଇଥିବା କ୍ୟୁଏସ କ୍ୟାକରେଲି ସେମଣ୍ଡସର ଆଞ୍ଚଳିକ ନିର୍ଦ୍ଦେଶକ ଅଶ୍ୱିନ ଫର୍ନାଣ୍ଡିସ କହିଛନ୍ତି। ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି ଏବଂ ଜେଜିଏଲ୍‌ଏସ୍‌କୁ ଏଭଳି ସଫଳତା ନେଇ ଅତ୍ୟନ୍ତ ଖୁସି ଥିବା ବେଳେ ଏହା ଅନୁଷ୍ଠାନ ଲାଗି ଐତିହାସିକ ବୋଲି ଫାଉଣ୍ଡିଂ ଚାନସେଲର ନବୀନ ଜିନ୍ଦଲ କହିଛନ୍ତି।

Share